ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତିର ଶାସନ ଚଳାଇଛନ୍ତି । ରାଜ୍ୟରେ ଯୁବ ଉଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାର ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ପ୍ରେସମିଟ୍ କରି ଏଭଳି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ସରକାରଙ୍କ ଏହି ଜନବିରୋଧୀ ନୀତି ବିରୁଦ୍ଧରେ ଜଣେ ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ‘ସ୍ୱାର୍ଥପର ସରକାର’ ଶୀର୍ଷକ କ୍ଷୋଭଭରା କବିତା ଲେଖିଥିଲେ। ଏହି କବିତାର ଉଦାହରଣ ଦେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଓଡିଆ ମାରଣ ନୀତି ଓ ଅଣ ଓଡ଼ିଆ କଣ୍ଟ୍ରାକ୍ଟର ପ୍ରିତି ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ସର୍ବଶ୍ରେଷ୍ଠ ଷ୍ଟାଟଅପ୍ ସହ ଯୁବ ଉଦ୍ୟୋଗୀଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ସରକାର ପ୍ରଚାର କରୁଛନ୍ତି। କିନ୍ତୁ ରାଜ୍ୟରେ ବାସ୍ତବ ସ୍ଥିତି କିଛି ଭିନ୍ନ। ଓଡିଆ କଣ୍ଟ୍ରାକ୍ଟର ଓ ଯୁବ ଉଦ୍ୟୋଗୀ ମାନେ କିପରି ଟେଣ୍ଡର ପ୍ରକ୍ରିୟାରେ ପ୍ରତିଯୋଗିତା ନ କରିପାରିବେ କିମ୍ବା ଉପକୃତ ନହେବେ ସେଥିପାଇଁ ଓଡିଶା ସରକାରଙ୍କ ପ୍ରତ୍ୟେକ ବିଭାଗ ଚତୁରତା ଓ ଚଞ୍ଚକତା ସହ ସମସ୍ତ ନିୟମ କରିଛନ୍ତି।
ଯଦି ବର୍ତ୍ତମାନର ସରକାର ଓ ପୂର୍ବ କଂଗ୍ରେସ ସରକାରଙ୍କ ସହ ତୁଳନା କରିବା ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦେବା ସହ ପ୍ରୋତ୍ସାହନ ଦେବା ପାଇଁ (DEPM) Directorate of Export Promotion & Marketing ଭଳି ବ୍ୟବସ୍ଥା କରିଥିଲେ। ସେ ସମୟରେ ବାହାର ରାଜ୍ୟର Bidder or Tenderer ଓଡ଼ିଶା Bidder ଠାରୁ କମ ଆବେଦନ କରୁଥିଲେ ମଧ୍ୟ ଓଡ଼ିଶା ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସହ ଅଗ୍ରାଧିକାର ମିଳୁଥିଲା।
କିନ୍ତୁ ବର୍ତ୍ତମାନ ସରକାରଙ୍କ କ୍ଷେତ୍ରରେ ତାହା ଦେଖାଯାଉନାହିଁ। ଏହି ସରକାରରେ ଓଡ଼ିଆ ଯୁବ ଉଦ୍ୟୋଗୀ ମାନଙ୍କୁ ସୁବିଧା ସୁଯୋଗ ଦେବା ଦୂରର କଥା ଓଡ଼ିଆ ମାନେ କିପରି ପ୍ରତିଯୋଗିତା କରିପାରିବେ ନାହିଁ ସେଭଳି ବ୍ୟବସ୍ଥା ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
5T ସ୍କୁଲ ପାଇଁ ଉପକରଣ ହେଉ କିମ୍ବା ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଟେଣ୍ଡର ବ୍ୟବସ୍ଥା ହେଉ ସମସ୍ତ ଟେଣ୍ଡର ବ୍ୟବସ୍ଥାକୁ ସରକାର ଏପରି ଚତୁରତା ସହ ନିୟମ କରିଛନ୍ତି ଯେ ସମସ୍ତ ପ୍ରକଳ୍ପ ଗୁଡ଼ିକୁ ରାଜ୍ଯ ବାହାରର କଣ୍ଟ୍ରାକ୍ଟର ମାନଙ୍କୁ ମିଳିବା ସହଜ ସାଧ୍ୟ ହେବ।
ବିଧାନସଭାରେ ମଧ୍ୟ କେତୋଟି ପ୍ରକଳ୍ପ ସମାପ୍ତ ହୋଇଛି ଓ କେତେଜଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଟେଣ୍ଡର ମିଳୁଛି ବୋଲି ପ୍ରଶ୍ନ ହେବାରୁ ସରକାର୍ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି କହି ଦାୟୀତ୍ୱହିନ ଉତ୍ତର ରଖିଛନ୍ତି। ଓଡ଼ିଶାର ଅଧିକାଂଶ ପ୍ରକଳ୍ପର କାମ ଓଡ଼ିଶା ବାହାରର କଣ୍ଟ୍ରାକ୍ଟରଙ୍କୁ ମିଳୁଥିବାରୁ ସରକାର ଜାଣିଶୁଣି ସଠିକ ଉତ୍ତର ରଖୁନାହାନ୍ତି ବୋଲି ସେ କହିଛନ୍ତି।
ଓଡ଼ିଶାର ସି – କ୍ଲାସ ଟେଣ୍ଡର ମଧ୍ୟ ତାମିଲନାଡୁ କିମ୍ବା ଅଣଓଡ଼ିଆ ମାନଙ୍କ ହାତକୁ ଚାଲିଯାଉଛି । ଓଡ଼ିଶା ସରକାର ପ୍ରତ୍ୟକ୍ଷ ଟେଣ୍ଡର ବ୍ୟବସ୍ଥା ନ କରି OBCC(Odisha Bridge & Construction Corporation Limited)ଭଳି କର୍ପୋରେସନ କୁ ସୁଯୋଗ ଦେଉଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର କାମ ମଧ୍ୟ OBCCକୁ ଦିଆ ଯାଇଛି। OBCC ଏହି କାର୍ଯ୍ୟକୁ ନିଜେ ନ କରି ଚଞ୍ଚକତା ସହ ଟାଟା ଭଳି ବୃହତ କମ୍ପାନୀ ହତାରେ ଶ୍ରୀମନ୍ଦିର କାର୍ଯ୍ୟ ଟେକିଦେଇଛି। ଯାହା OBCC ନିଜେ କରିପାରିଥାନ୍ତେ!।
ସେ କହିଛନ୍ତି, 2020-22 ମସିହା ପର୍ଯ୍ୟନ୍ତ OBCC ପାଇଥିବା କାର୍ଯ୍ୟ ମଧ୍ୟରୁ 92.61% କାର୍ଯ୍ୟ ଅର୍ଥାତ ପାଖାପାଖି 8439 କୋଟି ଟଙ୍କାର କାର୍ଯ୍ୟ ଓଡ଼ିଶା ବାହାରର କମ୍ପାନୀ କୁ ଦିଆଯାଇଛି। ମାତ୍ର 7.39% କାର୍ଯ୍ୟ ଓଡ଼ିଶା କଣ୍ଟ୍ରାକ୍ଟର ପାଇଛନ୍ତି। ଏହି ଭଳି ପ୍ରତ୍ୟେକ ବିଭାଗରେ ଚତୁରତା ଓ ଚଞ୍ଚକତା ସହ ଏଭଳି ବ୍ୟବସ୍ଥା କରାଯାଉଛି ଯେ କିପରି ଓଡ଼ିଆ ମାନେ ସୁଯୋଗରୁ ବଞ୍ଚିତ ହେବେ।
ଓଡ଼ିଶାରେ ସମସ୍ତ ପ୍ରକଳ୍ପ ବା ମେକ୍ ଇନ୍ ଓଡ଼ିଶା ଭଳି କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ସରକାର୍ ଡିଣ୍ଡିମ ପିଟୁଛନ୍ତି। ହେଲେ 01.03.23 ତାରିଖରେ ବିଧାନସଭାରେ ସରକାର ଉତ୍ତର ରଖିଛନ୍ତି ଯେ ଓଡ଼ିଶାରେ 701 ଟି କାର୍ଯ୍ୟକ୍ଷମ ଥିବା ଶିଳ୍ପସଂସ୍ଥା ଚାଳୁଛି।
ସେଥି ମଧ୍ୟରୁ 2 ଲକ୍ଷ 45 ହାଜର 151 ଜଣ ଓଡ଼ିଆ ନିଯୁକ୍ତି ପାଇଛନ୍ତି। ଏହା ମଧ୍ୟରୁ ପ୍ରତ୍ୟେକ୍ଷ ଭାବେ ମାତ୍ର 77 ହାଜର ଚାକିରୀ କରୁଛନ୍ତି। ଏହାର ଅର୍ଥ ମାତ୍ର ଏକ ତୃତୀୟାଂଶ ଲୋକେ ପ୍ରତ୍ୟେକ୍ଷ ଭାବେ ରୋଜଗାର ପାଇଛନ୍ତି। ଏହା ମଧ୍ୟରୁ କେତେଜଣ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି ଏହାର ଉତ୍ତର କିନ୍ତୁ ସରକାରଙ୍କ ପାଖରେ ନଥିବାର ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି।
ସରକାରଙ୍କ ଆନ୍ତରିକତାର ଅଭାବ ପାଇଁ ଲକ୍ଷ ଲକ୍ଷ ଲୋକ ଯୁବକ ବେରୋଜଗାର ହୋଇ ବୁଲୁଛନ୍ତି ନହେଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଜେଡି ସରକାର୍ ଜନତାଙ୍କ ଟଙ୍କାରେ ରୋମ ଠାରୁ ଜାପାନ ବୁଲୁଛନ୍ତି କିନ୍ତୁ ଏପଟେ ପୁଞ୍ଜିନିବେଶ ନାଁ ରେ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି।
ଓଡ଼ିଶାରେ ସମସ୍ତ କଣ୍ଟ୍ରାକ୍ଟ ଅଣଓଡ଼ିଆଙ୍କୁ ମିଳିବା ପାଇଁ ଚତୁରତାର ସହ ନବୀନ ସରକାର ବ୍ୟବସ୍ଥା କରୁଥିବା ସହ ଓଡ଼ିଶା ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତି ଆପଣାଇଛନ୍ତି ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି।
Comments are closed.