ସୁଶାନ୍ତ ସିଂହଙ୍କୁ ପୃ୍ଥ୍ୱୀରାଜଙ୍କ ତେରଛାବାଣ: କହିଲେ, ନବ ଦାସଙ୍କ ହତ୍ୟା ମାମଲା ସଂପୃ୍କ୍ତି ପାଇଁ ଦିଆଗଲାନି ଦାୟିତ୍ୱ
ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୨ ଜଣ ବିରଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ହେଲେ ଏହା ଭିତରେ ଯେଉଁ ଚର୍ଚ୍ଚିତ ବରିଷ୍ଠ ନେତାଙ୍କ ମୁହଁ ଦିଶୁନି ସେ ହେଉଛନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡ଼ିଶାର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣର୍ ଭୂମିକା ନିଭାଉଥିବା ଏହି ନେତାଙ୍କୁ କାହିଁକି ଏହି ନିର୍ବାଚନରେ କୌଣସି ଦାୟିତ୍ୱ ଦିଆଗଲାନି ? ଏହାର ସିଧାସଳଖ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ ନବ ଦାସ ହତ୍ୟା ମାମଲା ସହ ଏହାକୁ ଯୋଡି ସେ କହିଛନ୍ତି, ନବ ଦାସ ହତ୍ୟା ମାମଲାରେ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି । ସେ କାହାର ନାଁ ନ ନେଇ କହିଥିଲେ, କିଛି ଲୋକଙ୍କୁ ନବ ଦାସଙ୍କ ଦଶାହରୁ ଦୂରେଇ ରଖାଗଲା । ଦଳ ପକ୍ଷରୁ ତାଙ୍କୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ସେହିପରି କିଛି ବ୍ୟକ୍ତିଙ୍କୁ ନିର୍ବାଚନରୁ ମଧ୍ୟ ଦୂରେଇ ରଖାଗଲା । କାରଣ ଏମାନଙ୍କର ନବଦାସ ହତ୍ୟା ଘଟଣା ସହ ସଂପୃକ୍ତି ରହିଛି ବୋଲି ସରକାର ହୃଦୟଙ୍ଗମ କରିଥିବା ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି, ଏମାନଙ୍କୁ ଝାରସୁଗୁଡା ଉପନିର୍ବାଚନରୁ ଦୂରେଇ ରଖିବାର ଏକମାତ୍ର କାରଣ ହେଉଛି ଏମାନଙ୍କର ନବ ହତ୍ୟା ମାମଲାରେ ସଂପୃକ୍ତି ରହିଛି । ଏକଥା ନିଜେ ରାଜ୍ୟ ସରକାର ସ୍ୱୀକାର ବି କରୁଛନ୍ତି । କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ଏପରି କରି ସରକାର ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସୁଶାନ୍ତ ସିଂହଙ୍କ ନାଁ ନ ନେଇ ଶ୍ରୀ ହରିଚନ୍ଦନ ତେରଛାବାଣ ମାରି କହିଛନ୍ତି ଏଠି କାହା ନାଁ ନେବାର ଆବଶ୍ୟକତା ନାହିଁ । ସମଝଦାର ଲୋକଙ୍କ ପାଇଁ ଇସାରା କାଫି ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ବିଜେପି-କଂଗ୍ରେସ ଏ ନେଇ ପଛରେ ପଡିଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ଓ ନିର୍ବାଚନ ପରିଚାଳନା ଦାୟିତ୍ୱ ବାଣ୍ଟି ସାରିଲାଣି । ହେଲେ ଏହି ତାଲିକାରେ କେଉଁଠି ସଶାନ୍ତ ସିଂହଙ୍କ ନାଁ ନାହିଁ । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ପ୍ରତ୍ୟେକ ନିର୍ବାଚନରେ ଗୁରୁତ୍ୱ ଭୂମିକା ଥିବା ସୁଶାନ୍ତଙ୍କୁ କାହିଁକି ଏଥର ବାଦ ଦିଆଗଲା ଏ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା ।
ଅନ୍ୟପକ୍ଷେ ବିଜେଡି ଏହାର କଡା ଜବାବ ରଖିଛି । ବିଜେପିର ଏଭଳି ଅଭିଯୋଗର ଉତ୍ତର ରଖି ଢେଙ୍କାନାଳ ବିଜେଡି ସାଂସଦ ମହେଶ ସାହୁ କହିଛନ୍ତି, ବିଜେଡିରେ ସମସ୍ତେ ଦକ୍ଷ ନେତା ଅଛନ୍ତି । ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି । ତେଣୁ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ଦଳର ନିଷ୍ପତି । ମୁଖ୍ୟମନ୍ତ୍ରୀ କେତେବଳେ କ’ଣ ଭାବି ନିଷ୍ପତ୍ତି ନିଅନ୍ତି । ତେଣୁ ଅନ୍ୟମାନେ କ’ଣ କହିବେ ବୋଲି ସାଂସଦ କହିଛନ୍ତି ।
Comments are closed.