ବାଲେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ । ରାଜାଙ୍କ ଜାମିନ ଆବେଦନ ଖାରଜ କଲେ ଓପିଆଇଡି କୋର୍ଟ । ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଜି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଆବେଦନ ଖାରଜ କରିଦେଇଛନ୍ତି ଓପିଆଇଡି କୋର୍ଟ ।
କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାର ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ମହା ଘୋଟଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ ଓ ରାଜ୍ୟ ସ୍ପେସାଲ୍ ଟାକ୍ସଫୋର୍ସ ବା ଏସ୍ଟିଏପର ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଛି ।
ଆର୍ଥିକ ଅନିୟମିତତା ମାମଲାରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ଗତକାଲି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଥିଲା । ଆଜି ଉକ୍ତ ମାମଲାର ଶୁଣାଣୀ କରି ଆବେଦନ ଖାରଜ କରିଛନ୍ତି କୋର୍ଟ ।
ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ବାଲେଶ୍ବରରେ ପହଞ୍ଚି ରାଜା ଚକ୍ର ପାଇଁ ଜାମିନ ଆବେଦନ କରିଥିଲେ। ରାଜ୍ୟ ଅପରାଧ ଶାଖାର ଅର୍ଥନୈତିକ ଅପରାଧ ବିଭାଗ(ଇଓଡବ୍ଲ୍ୟୁ) ଜବତ କରିଥିବା ୨୦୨୨ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମିତିର ରିଜୋଲ୍ୟୁସନ ବହି ଏବଂ ସ୍ପେଶାଲ ଅଡିଟ ରିପୋର୍ଟ ଦାଖଲ ପାଇଁ ସେ ଅଦାଲତକୁ ପ୍ରାର୍ଥନା କରିଥିଲେ। ଅବଶ୍ୟ ଏହାର ଅଫିସ କପି ସେ ଅଦାଲତରେ ଦାଖଲ କରିଥିଲେ। ସେହି କ୍ରମରେ ଜଜ ବିଶ୍ବଜିତ ଦାସ କେସ୍ ଡାଏରୀ ସହିତ ଦୁଇ ମୂଳ ରେକର୍ଡ଼ ଦାଖଲ ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.