Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ସଂସଦରେ ‘ଶଙ୍ଖ’ର ସ୍ୱରକୁ ଶାଣିତ କରିବେ ସସ୍ମିତ

ଭୁବନେଶ୍ୱର: ଚାରି ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସସ୍ମିତ ପାତ୍ର ସଂସଦକୁ ଦ୍ୱିତୀୟ ଥର ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏହା ପୂର୍ବରୁ ଏହି ଥିଓରୀକୁ ନବୀନ ପ୍ୟାରୀମୋହନ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ଲାଗୁ କରିଥିଲେ। ବିଜେଡିରୁ ଦୁଇ ଥର ରାଜ୍ୟସଭାକୁ ଯିବାରେ ଏବେ ସସ୍ମିତ ହେଉଛନ୍ତି ତୃତୀୟ ନେତା।

ସସ୍ମିତ ପାତ୍ର ଜଣେ ଉଚ୍ଚ ଶିକ୍ଷିତ ଏବଂ ଦକ୍ଷିଣ ଓଡିଶାର ନେତା । ରାଜ୍ୟସଭାକୁ ତିନି ବର୍ଷ ପାଇଁ ସେ ନିର୍ବାଚିତ ହୋଇ ନିଜର ଅନେକ ଦକ୍ଷତା ଦେଖାଇଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଅନେକ ସମୟରେ ସେହି ଚେୟାରରେ ବସି ରାଜ୍ୟର ଗୌରବ ବଢାଇଛନ୍ତି ସସ୍ମିତ । ଏଥିସହ ଜିରୋ ଆଓ୍ୱାର ଏବଂ ବିଧେୟକ ଆଗତ ସମୟରେ ସସ୍ମିତ ପାତ୍ର ସକ୍ରିୟ ହୋଇ ଅଂଶ ଗ୍ରହଣ କରୁଥିବା ନଜିର ରହିଛି।

ଦିଲ୍ଲୀରେ ବିଜେଡିର ମୋଟ୍ 21 ଜଣ ସାଂସଦ ରହିଛନ୍ତି। ସେଥିମଧ୍ୟରୁ ସସ୍ମିତଙ୍କର ଦିଲ୍ଲୀ ଦରବାରରେ ଭଲ ଭାବମୂର୍ତ୍ତି ରହିଛି। ରାଜ୍ୟସଭାକୁ ଯିବା ପୂର୍ବରୁ ସେ ଦଳର ମୁଖପାତ୍ର ଭାବେ ମଧ୍ୟ କାମ କରିଥିଲେ। ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ।

ତେବେ ସଂସଦରେ ନିଜର ଅଭିଜ୍ଞତା, କାର୍ଯ୍ୟଦକ୍ଷତାକୁ ଦେଖି ଦଳ ସୁପ୍ରିମୋ ସସ୍ମିତ ପାତ୍ରଙ୍କୁ ଦ୍ୱିତୀୟ ଥର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସସ୍ମିତ ଜଣେ ଓବିସି ନେତା । ତେଣୁ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ତିନି ଜଣ ଓବିସି ଶ୍ରେଣୀର ହୋଇଥିବାରୁ ଆଗାମୀ ଦିନରେ ସଂସଦରେ ବିଜେଡି ଓବିସି କାର୍ଡ ଖେଳି ରାଜ୍ୟରେ ଭୋଟ୍ ବ୍ୟାଙ୍କକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ସସ୍ମିତଙ୍କ ପୂର୍ବରୁ ପ୍ୟାରୀମୋହନ ଏବଂ ବୈଜୟନ୍ତ ଦ୍ୱିତୀୟ ଥର ପାଇଁ ଦଳରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଦଳ ସୁପ୍ରିମୋଙ୍କ ସହ ବିବାଦ ହେବାରୁ ଉଭୟ ପର୍ଯ୍ୟାୟକ୍ରମେ ଦଳ ଛାଡ଼ିଥିଲେ।

Comments are closed.