Latest Odisha News

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍‌ସିଲର 

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସିର ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା, ପାଟଣାଗଡ ବିଧାନସଭା ଓ ଏନ୍‌ଏସିରେ ଦଳର ସଂଗଠନ ଆହୁରି ମଜଭୁତ ହୋଇପାରିଛି।

ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଭାରତବର୍ଷରେ ଶାସନ କ୍ଷମତାରେ ରହିଛି । ସମସ୍ତେ ମିଳିମିଶି ଏଠାକାର ମୌଳିକ ସମସ୍ୟାର ସମାଧାନ କରି ବଲାଙ୍ଗୀର ଜିଲ୍ଲା, ପାଟଣାଗଡ଼ ଏନ୍‌ଏସି ଏବଂ ଓଡ଼ିଶାକୁ ବିକଶିତ କରିବା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ସମସ୍ତେ ମିଳିମିଶି ସରକାରଙ୍କ ସମସ୍ତ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିବା। ବଲାଙ୍ଗୀର ଓ ପାଟଣାଗଡ଼ ସମେତ ସାରା ଓଡ଼ିଶାକୁ ବିକାଶ ଅଭିମୁଖେ ଆଗେଇ ନେବା। ଏହି ଅବସରରେ ପ୍ରଫୁଲ୍ଲ କୁମାର ମେହେରଙ୍କ ସମେତ କାଉନ୍‌ସିଲର ହେମବନ୍ତୀ ମେହେର, ରୀତା ମେହେର, ଶ୍ରୀରାମ ଦଳାଇ, ଲୋଚନ ଭୋଇ, ମକୁନ୍ଦ ମେହେର ପ୍ରମୁଖ ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ସ୍ୱାଧୀନ କାଉନ୍‌ସିଲର ରୁନୁ କୁମ୍ଭାର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ରଶ୍ମିରଞ୍ଜନ କାନୁନ୍‌ଗୋ ଓ ପାଟଣାଗଡ଼ ନଗର ସଭାପତି ସନ୍ୟାସୀ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.