Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି: ସମୀରଙ୍କୁ ଜାବବ ଦେଲେ ଲେନିନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ରେକର୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଦୁଇ ଦଳର ବରିଷ୍ଠ ନେତାଙ୍କ ଜବାବ-ପ୍ରତିଜବାବରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ  ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତିବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହାକୁ ନେଇ ବିଜେଡି ଉତ୍ସବ ପାଳନ କରୁଥିବାବେଳେ କଡା ସମାଲୋଚନା କରିଛି ବିଜେପି ।

ଏହାକୁ ନେଇ ବିଜେପି ନେତା ସମୀର ମହାନ୍ତି କଟାକ୍ଷ କରି କହିଥିଲେ, ପ୍ରତିଶ୍ରୁତି ଦେଇ ପାଳନ ନ କରିବାର ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ।  ସେ ଆହୁରି କହିଥିଲେ, ୨୩ ବର୍ଷରେ  ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ବୁଲାଇ ଲୋକଙ୍କ ସମସ୍ୟା ବୁଝିବାରେ ବି ରେକର୍ଡ କରିଛନ୍ତି ।  ଏହା ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ ବୋଲି କହିଥିଲେ ବିଜେପି ବରିଷ୍ଠ ନେତା ସମୀର ମହାନ୍ତି ।

ସମୀର ମହାନ୍ତିଙ୍କ ଏପରି କଟାକ୍ଷର ପ୍ରତିଜବାବ ଦେଇଛି ବିଜେଡି । ଠିକରେ କହିଲେ ବିଜେଡି ସମୀର ମହାନ୍ତିଙ୍କ ଜବାବର ଉତ୍ତର ତ ରଖିନି । ବରଂ ତାଙ୍କ ରାଜନୈତିକ ସ୍ଥିତିକୁ ନେଇ ଉପହାସ କରିଛି ।

ସମୀର ମହାନ୍ତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଟୁଇଟ କରି କହିଛନ୍ତି,   ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ବୋଲି କହିଛନ୍ତି  ଡକ୍ଟର ଲେନିନ ମହାନ୍ତି ।

ଏକ ଟୁଇଟ୍‍ ଜରିଆରେ ବିଜେଡି ମୁଖପାତ୍ର କହିଛନ୍ତି,  ‘ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।’

Comments are closed.