ୟୁଟ୍ୟୁବରଙ୍କ ସହ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନକୁ ନେଇ ସୋସିଆଲ ମିଡିଆରେ ବିଜେଡି-ବିଜେପିର ବ୍ଲେମଗେମ: କାମିୟା ଦେଲେ ସଫେଇ
ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ ବିଜେଡି ନେତା ପାଣ୍ଡଆନ ପ୍ରବେଶ କରିବା ଏବଂ ଏହାର ଭିଡିଓ ସୁଟ କରି ଭାଇରାଲ କରିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ । ସୋସିଆଲ ମିଡିଆରେ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବ୍ଲେମ ଗେମ ।
ସୋସିଆଲ ମିଡିଆ ଏକ୍ସରେ ବିଜେଡି ଏମପି ମାନସ ମଙ୍ଗରାଜ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କାମିୟା ଜାନି ବିଜେପି ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ହିନ୍ଦୁ ମନ୍ଦିର, ଐତିହ୍ୟ ଓ ସଂସ୍କୃତି ଉପରେ ଫିଲ୍ମ ନିର୍ମାଣ କରିବା ଲାଗି ତାଙ୍କୁ ବିଜେପି ସରକାର ନିଯୁ୍କ୍ତି ଦେଇଛି । ସେ ଚାରଧାମ ବୁଲିବା ସହ ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲଲାଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀ ମଙ୍ଗରାଜ କହିଛନ୍ତି, ଆପଣମାନେ ସମସ୍ତେ ତାଙ୍କୁ ଭଲ ପାଆନ୍ତି ଏବଂ ଏହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଶ୍ରୀ ମଙ୍ଗରାଜ ନିଜ ପୋଷ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲିପର ସ୍କ୍ରିନସଟ୍ ଏହି ପୋଷ୍ଟ ସହ ଆଟାଚ କରିଛନ୍ତି ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ନିଜେ ଧର୍ମେନ୍ଦ୍ର ପ୍ରଧାନ ସେୟାର କରିଥିଲେ । ଏହାକୁ ପ୍ରକାଶ କରିବା ପରେ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ, ’ ଧର୍ମେନ୍ଦ୍ର ଭାଇ,ଦୟାକରି କୁହନ୍ତୁ, ଏହାକୁ ଏବେ କାହିଁକି ଇସ୍ୟୁ କରାଯାଉଛି? ଶ୍ରୀମନ୍ଦିରକୁ ନେଇ ଅନେକ କାମ ବିଜେଡି କରିଛି ଯାହା ଆପଣ କରିବାକୁ ଅସମର୍ଥ ଥିଲେ । ସେଇ ଇର୍ଷାରେ ଆପଣ ଏମିତି କହୁଛନ୍ତି କି ? ମିଛି କଥା ପରିବେଷଣ କରି ଲୋକଙ୍କୁ କାହିଁକି ଅପମାନିତ କରାଯାଉଛି ବୋଲି ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି ।
ବିଜେଡି ସାଂସଦ ଶ୍ରୀ ମଙ୍ଗରାଜ ଏକ୍ସ ପୋଷ୍ଟରେ ଆହୁରି ଲେଖିଛନ୍ତି, ଏହା ପ୍ରକୃତରେ ଅତ୍ୟନ୍ତ ଲଜ୍ଜାଜନକ କଥା ଯେ ଆପଣ ଏଠାରେ ହିନ୍ଦୁ ମନ୍ଦିରକୁ ପୋଷ୍ଟ କରି ଏହାକୁ ପ୍ରମୋଟ କରୁଛନ୍ତି ଏବଂ ପସନ୍ଦ କରୁଛନ୍ତି । ହେଲେ ଏବେ ଶ୍ରୀମନ୍ଦିର ପ୍ରସଙ୍ଗରେ ଆପଣଙ୍କୁ ସମସ୍ୟା ହେଉଛି ।
ସୂଚନାଥାଉ କି, କାମିୟା ଜାନି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଗୋମାଂସ ଖାଇ ପଶିବା ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଥିଲେ, ତାଙ୍କୁ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଖୁଆଇଥିଲେ । ଏହା ସାରା ଓଡିଶାର ଲୋକଙ୍କୁ ବ୍ୟସ୍ତ ବିବ୍ରତ କରୁଥିଲାବେଳେ ଏହାକୁ ନେଇ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି ।
କାମିୟା ଜାନିଙ୍କୁ କାହିଁକି ପାଣ୍ଡିଆନ ଓଡ଼ିଶା ଡାକିଥିଲେ, କାହିଁକି ତାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ମନ୍ଦିର ପାଖରେ ଉପସ୍ଥିତ ଥିଲେ ଏହାର ଉତ୍ତର ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି । କାମିଆ ଜାନି ନିଜର ଅନେକ ଭିଡିଓରେ ଗୋମାଂସ ଖାଇବା କଥା ଖୋଲା ଖୋଲି ଭାବେ ଘୋଷଣା କରିଥିବାବେଳେ ତାଙ୍କୁ ଡାକି କାହିଁକି ପବିତ୍ର ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ଏହାର ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ବୋଲି ବିଜେପି ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।
ଏହାର ଉତ୍ତରରେ ବିଜେଡି ପକ୍ଷରୁ ଉତ୍ତର ରଖାଯାଇଥିଲା ଯେ, ଜାନି ଶ୍ରୀମନ୍ଦିର ପରିସରରେ ନୁହେଁ ବରଂ ରାଧାବଲ୍ଲଭ ମଠରେ ମହାପ୍ରସାଦ ଖାଇଥିଲେ । ସେହିପରି ଭିଡିଓଗ୍ରାଫି ପ୍ରସଙ୍ଗକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରଭାବଶାଳୀ ୟୁଟ୍ୟୁବରଙ୍କୁ ନେଇ ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ଅଭିଯୋଗ ସମ୍ପୂର୍ଣ୍ଣ ଭୀତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ଯଦି ପ୍ରମାଣ ଅଛି ଉପସ୍ଥାପନ କରନ୍ତୁ । ଏହାର ଅନୁସନ୍ଧାନ କରାଯିବ । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ୍ସରେ ପୋଷ୍ଟ କରାଯାଇଛି ।
ଅନ୍ୟପକ୍ଷେ ଜାନି ମଧ୍ୟ ନିଜ ଇନଷ୍ଟାରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଜଣେ ଭାରତୀୟ ଭାବେ ମୋର ଲକ୍ଷ୍ୟ ହେଉଛି, ଭାରତୀୟ ସଂସ୍କୃତି, ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଚାର କରିବା । ମୁଁ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିଛି,ଭାରତର ଚାରଧାମ ଦର୍ଶନ କରିଛି । ଖବରକାଗଜରେ ମୋର ଜଗନ୍ନାଥ ମନ୍ଦିର ପରିଦର୍ଶନକୁ ନେଇ ପ୍ରଚାରି ଖବର ମୋତେ ସ୍ତବ୍ଧ କରିଛି । ତେବେ ମୁଁ କେବେ ଗୋମାଂସ ଖାଇ ନାହିଁ କି ଖାଏ ନାହିଁ । ଜୟ ଜଗନ୍ନାଥ ।’
Comments are closed.