ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତି କେନ୍ଦ୍ରର ବୈମାତୃତ ମନୋଭାବକୁ ବିରୋଧ କରି ମଙ୍ଗଳବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ବିଜୁ ମହିଳା ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ୧୫ଲକ୍ଷ ହିତାଧିକାରୀ ଘର ପାଇବା ଅପେକ୍ଷାରେ ରହିଛନ୍ତି। ହେଲେ ମାତ୍ର ୭ଲକ୍ଷ ହିତାଧିକାରୀଙ୍କୁ ଏଯାଏ ଘର ମିଳିଛି। ରାଜ୍ୟରୁ ୮ଜଣ ବିଜେପି ସାଂସଦ ଚଞ୍ଚକତା କରି ୮ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦେଇଛନ୍ତି। ଗତ ତିନିବର୍ଷ ହେବ ଆବାସ ଯୋଜନାକୁ ବନ୍ଦ କରାଯାଇଛି।
ସୁଲତା ଦେଓ ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଆବାସ ଯୋଜନା ବନ୍ଦ କରିବା ପାଇଁ ବିଜେପିର ୮ ଜଣ ସାଂସଦ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ସେମାନେ ଲଜ୍ଜିତ ହେବା ଉଚିତ ଯେ ସେମାନେ ଗରିବମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି। ୧୫ ଲକ୍ଷ ଘର ଆମର ଅଧିକାର. ବିଜେପି ଆମକୁ ଆମ ଅଧିକାରରୁ ବଞ୍ଚିତ କରିଛି। ଆମେ ଏଠାକୁ ଏଥିପାଇଁ ଆସିଛୁ ବୋଲି ସେ କହିଛନ୍ତି।
ମୋଦି ସରକାର ଆବାସ ଯୋଜନାରେ ପାଖାପାଖି ୨୮ ଲକ୍ଷ ଘରକୁ ମଞ୍ଜୁରୀ ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟବ୍ୟାପୀ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କେବଳ ରାଜ୍ୟ ସରକାରଙ୍କ ଅପାରଗତା ଓ ସମ୍ବେଦନଶୀଳତା ଯୋଗୁଁ ଓଡ଼ିଶାର ଲକ୍ଷ ଲକ୍ଷ ହିତାଧିକାରୀ ଏବେ ବି ଛାତ ନଥିବା ଅଭିଯୋଗ କରିଛନ୍ତି ବିଜେପିର ଲେଖାଶ୍ରୀ ସାମନ୍ତସିଂହାର।
ଏ ନେଇ ଆଗାନୀ ଦିନରେ ଗାଁରୁ ରାଜଧାନୀ ଦିଲ୍ଲୀଯାଏ ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।
ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୯.୫୯ ଲକ୍ଷ ୟୁନିଟ୍ ଘର ମଞ୍ଜୁର କରିଥିଲେ। ତେବେ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟକୁ ନେଇ ରାଜ୍ୟ ସରକାରଙ୍କ ସହ ବିଜେପି ମୁହାଁମୁହିଁ ସ୍ଥିତିରେ ରହିଛି। କାଳିଆ ଯୋଜନାରେ ବହୁ ଘରକୁ ବିଜେଡିର ନେତା ଓ କର୍ମୀ ବିନା ଯୋଗ୍ୟତାରେ ହଡ଼ପ କରିଥିବା ଅଭିଯୋଗ ଆଣିଛି ବିଜେପି।
Comments are closed.