Latest Odisha News

BREAKING NEWS

ଏଏସଓଙ୍କୁ ମାଡ ମାରିବା ଘଟଣା; ପୁଣି ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ । ଲିଖିତ ଅଭିଯୋଗ ହେଲା ମାମାଲା ବି ରୁଜ୍ଜୁ ହେଲା ହେଲେ କିଛି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଏବେ ପୁଣି ରାଜ୍ୟ ସରକାରଙ୍କୁ ପ୍ରଶ୍ନର କାଠଗଡାକୁ ଟାଣିଛି ବିଜେଡି ।

ଏନେଇ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ଜୋରସୋର ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ରାଜଭବନରେ ଜଣେ ଏଏସଓଙ୍କ ପ୍ରତି ଏଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦାୟକ । ରାଜଭବନରେ ରାଜ୍ୟପାଳଙ୍କ ପୁଅ, ଯିଏ ଜଣେ ଅଣ ଓଡ଼ିଆ ଝାଡ଼ଖଣ୍ଡ ପୁଅ, ସିଏ ଓଡ଼ିଶା ସରକାରଙ୍କ ଏଏସଓଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେବା କଥା ହୃଦୟବିଦାରକ ବୋଲି କହିଛନ୍ତି ଲେଖାଶ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜି ସମସ୍ତଙ୍କୁ ପାଖରେ କହିବା ସତ୍ତ୍ବେ, କାର୍ଯ୍ୟାନୁଷ୍ଠାନ ହେଲାନାହିଁ କି ତାଙ୍କୁ ନ୍ୟାୟ ବି ମିଳିଲା । ଯାହା ନିନ୍ଦନୀୟ ।

ସେପଟେ ମୋହନ ସରକାର ପକ୍ଷପାତିତା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଏନେଇ ସେ ପ୍ରଶ୍ନ କରି କହିଛନ୍ତି, ମୋହନ ସରକାରଙ୍କର କ’ଣ ଗରିବ ପାଇଁ ଗୋଟେ ଆଇନ ଓ ପ୍ରଭାବଶାଳୀଙ୍କ ପାଇଁ ଆଉ ଗୋଟେ ଆଇନ? ମୋହନ ସରକାର ଓଡ଼ିଆ ଅସ୍ମିତାରେ ରହିବେ ନା ଅଣ ଓଡ଼ିଆ ଜରିଆରେ ଓଡ଼ିଆଙ୍କୁ ଦଳି ଚକଟି ମାରିବେ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାସହିତ ଯଦି ଏନେଇ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନନିଅନ୍ତି, ଦୋଷୀ ଯଦି ଗିରଫ ନହୁଏ, ତାହାଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରିବ ବୋଲି ଚେତାଇ ଦେଇଛନ୍ତି ଲେଖାଶ୍ରୀ ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ ସେତେବେଳେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନ। ତାଙ୍କ କହିବା ଅନୁଯାୟୀ, ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅବଗତ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁହାରି କରିଥିଲେ। କିନ୍ତୁ କିଛି ସୁଫଳ ନ ମିଳିବାରୁ ଗତ ବୁଧବାର ପୁଣିଥରେ ବୈକୁଣ୍ଠନାଥ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।

Comments are closed.