ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ ଘଟଣାରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି।
ସୂଚନା ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ ବକ୍ତୃତା ପ୍ରଦାନ କରିବା ଲାଗି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଓଡ଼ିଶା ସରକାରଙ୍କ ଚାପରେ ଏଭଳି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ।
ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ସନ୍ଥକବି ଭୀମ ଭୋଇଙ୍କ ଉପରେ ବକ୍ତୃତା ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମ ବହୁ ପୂର୍ବରୁ ସ୍ଥିରୀକୃତ ଥିଲା। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆୟୋଜକ ମାନେ ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମରେ ତାଙ୍କ ବକ୍ତୃତା ଚାହୁଁନାହାନ୍ତି କହି ନିଜର ଅସହାୟତା ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ଦେଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଉତ୍ତରପ୍ରଦେଶର ବିଜେପି ନେତାମାନଙ୍କ ମାଧ୍ୟମରେ ଓଡ଼ିଶାର ବିଜେପି ସରକାର ଚାପ ପ୍ରୟୋଗ କରିଥିବା ସୂଚନା ମିଳିବା ପରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ କେଦାର ମିଶ୍ର ସେଠାରୁ ଫେରିଆସିଥିଲେ। ସାହିତ୍ୟ କ୍ଷେତ୍ରରେ ଏହିଭଳି ରାଜନୈତିକ ହସ୍ତକ୍ଷେପକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି।
ଡ଼ ମହାନ୍ତି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ହୀନ ମନ୍ୟତା ପାଇଁ, ଭାରତର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହି ଅପମାନ କେବଳ ଓଡ଼ିଆ ସାହିତ୍ୟିକଙ୍କ ପ୍ରତି ଅପମାନ ନୁହଁ, ଏହା ସମଗ୍ର ଓଡ଼ିଆ ସାହିତ୍ୟ ଜଗତ ଓ ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ଏଭଳି ହୀନ ମାନସିକତାରୁ ଊଦ୍ଧ୍ୱର୍କୁ ଉଠି ରାଜ୍ୟ ବିଜେପି ସରକାର ସାହିତ୍ୟିକ ମାନଙ୍କୁ ଅପମାନ କରିବାରୁ କ୍ଷାନ୍ତ ରୁହନ୍ତୁ ।
Comments are closed.