Latest Odisha News

BREAKING NEWS

କେତେ ଦେଖାଇଲେ କେତେ ଲୁଚାଇଲେ ?

ଭୁବନେଶ୍ବର: ୨୦୨୪ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ? ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ନିର୍ବାଚନୀ ଖର୍ଚ୍ଚ ନେଇ ସତ୍ୟପାଠ ଦାଖଲ କରିଛି। ଏଥିରେ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ଦଳ ଦେଇଥିବା ଟଙ୍କା ସଂପର୍କରେ ସୂଚନା ଦିଆଯାଇଛି। ଗତ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଲଢିବା ପାଇଁ ଟିକେଟ୍ ସହ ଦଳ ମୋଟ୍ ୫୪ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାଇଛି ବିଜେଡି।

କେଉଁ ପ୍ରାର୍ଥୀଙ୍କୁ କେତେ ଦେଇଥିଲା ବିଜେଡି ?

ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଦଳ ରାଜ୍ୟର ୨୧ ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିକେଟ୍ ସହ ୫୦ ଲକ୍ଷ ଟଙ୍କା ଲେଖାଏଁ ନିର୍ବାଚନୀ ଖର୍ଚ୍ଚ ଦେଇଥିଲା। ତେବେ ଏଥର ନିର୍ବାଚନରେ ଗୋଟିଏ ବି ଲୋକସଭା ଆସନ ଜିତିପାରିନି ବିଜେଡି । ଲୋକସଭା ପ୍ରାର୍ଥୀଙ୍କ ପାଇଁ ବିଜେଡି ମୋଟ୍ ୧୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଦେଇଥିବା ଜଣାଇଛି। ସେହିପରି ବିଧାୟକ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛି ବିଜେଡି । ବିଜେଡି ସଭାପତି ଦୁଇଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମୋଟ୍ 60ଲକ୍ଷ ଟଙ୍କା ନେଇଥିଲେ। ବିଧାୟକ ପ୍ରାର୍ଥୀଙ୍କୁ ମୋଟ୍ ୪୪ କୋଟି ୧୦ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ଦେଇଛି ଦଳ। ଦଳର କୋଷାଧ୍ୟକ୍ଷ ସୁବାସ ସିଂ ନିର୍ବାଚନ ପାଇଁ ଦଳର ନିର୍ବାଚନୀ ଖର୍ଚ୍ଚ ସଂପର୍କରେ ସୂଚନା ଦେଇଛନ୍ତି। ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

କେତେ ଦେଖାଇଲେ କେତେ ଲୁଚାଇଲେ ?

ବିଜେଡି ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଦେଇଥିବା ଖର୍ଚ୍ଚ ସଂପର୍କରେ ଦର୍ଶାଇଛି। ତେବେ ନିର୍ବାଚନ ପରିଚାଳନାରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ କୌଣସି ତଥ୍ୟ ଦେଇନି। ଗତ ନିର୍ବାଚନରେ ଦଳ ପକ୍ଷରୁ ବଡ ଜନସଭା ସାଙ୍ଗକୁ ରୋଡ୍ ଶୋ କରିଥିଲା। ଷ୍ଟାର କ୍ୟାମ୍ପେନର ଭାବେ ବହୁ ସେଲିବ୍ରିଟି ବି ଦଳ ପାଇଁ ପ୍ରଚାର କରିଥିଲେ। ସେ ବାବଦକୁ ଦଳ କେତେ ଖର୍ଚ୍ଚ କରିଥିଲା, ସେନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇନାହିଁ।

ଟଙ୍କାଟେ ଖର୍ଚ୍ଚ କରିନି କଂଗ୍ରେସ

ଗତ ନିର୍ବାଚନରେ ପ୍ରମୁଖ ବିରୋଧୀ ଦଳ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିନି। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ୍ ଦାଖଲ କରିଥିବା ତଥ୍ୟ ଅନୁସାରେ ଦଳ ରାଜ୍ୟରେ କୌଣସି ପ୍ରାର୍ଥୀଙ୍କୁ କିଛି ଅର୍ଥ ଦେଇନାହିଁ। ନିର୍ବାଚନରେ ୧୪୫ ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ କରିନି। ସେହିପରି ରାଜ୍ୟ ନିର୍ବାଚନରେ ମଇଦାନକୁ ପ୍ରାର୍ଥୀ ଓହ୍ଲାଇଥିବା ସିପିଆଇଏମ୍ଏଲ୍, ଆମ ଆଦମୀ ପାର୍ଟି ଓ ବିଏସପି ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଆଦୌ ଖର୍ଚ୍ଚ କରିନାହାନ୍ତି। ତେବେ ସମାଜବାଦୀ ପାର୍ଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିଛି। ତେବେ ବିଜେପି ଏପର୍ଯ୍ୟନ୍ତ ତାର ନିର୍ବାଚନୀ ଖର୍ଚ୍ଚ ନେଇ ତଥ୍ୟ ଦେଇନାହିଁ।

ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଓ ସାସଂଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ତେବେ ଗତ ନିର୍ବାଚନରେ ଯେଉଁଭଳି ଭାବେ କ୍ୟାମ୍ପେନିଂ, ରୋଡ୍ ଶୋ ହୋଇଥିଲା, ଖର୍ଚ୍ଚ ପାଇଁ ଧାର୍ଯ୍ୟ ସୀମାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା କୁହାଯାଉଛି । ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଥିଲା।

Comments are closed.