Latest Odisha News

BREAKING NEWS

ଅକ୍ଟୋବର ୯ରୁ ବିଜେଡିର ଏକ ମାସଧରି ଜନସମ୍ପର୍କ ପଦଯାତ୍ରା…

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ।

ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ ବୋଲି ଦଳ ତରଫରୁ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ରାଜ୍ୟରେ ବିଜେପି ସରକାରଙ୍କ ବିଫଳତାକୁ ବଖାଣିଥିଲେ। ଏପରିକି ଏହି ପଦଯାତ୍ରା ସମୟରେ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଗତ ୧୫ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ଓ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସମୟରେ ଆରମ୍ଭ କରାଯାଇଥିବା ବିଏସକେୱାଇ ବହୁତ ଉପକାରୀ ହୋଇଥିଲା ବେଳେ ବିଜେପି ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ଆସିବା ପରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ମଦମୁକ୍ତ ଓ ନିଶାମୁକ୍ତ ଓଡିଶା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବିଜେପି ସରକାର ଏବେ ୭୦ଟି ନୂଆ ମଦ ଦୋକାନ ଓ ଦୁଇଟି ମଦ କାରଖାନା ଖୋଲୁଛନ୍ତି।

ଅପରପକ୍ଷରେ ସାର ଅଭାବରୁ ରାଜ୍ୟରେ ଚାଷୀ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି। ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ ବୋଲି ସେ କହିଛନ୍ତି।

 

Comments are closed.