ଭୁବନେଶ୍ବର : ପଛୁଆ ବର୍ଗଙ୍କ ଲାଗି ବିଜେଡିର ବଡ଼ ଘୋଷଣା । ୨୭ ପ୍ରତିଶତ ପଛୁଆବର୍ଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ୍ ଦେବ ବିଜେଡି । ଆଗାମୀ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଟିକେଟ ଦେବାକୁ ଦଳ ଘୋଷଣା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମନ୍ତ୍ରୀ ଘୋଷଣା କରିଛନ୍ତି । ଓବିସି ସଂଶୋଧନ ବିଲ ସଂସଦରେ ପାସ୍ ହୋଇଛି । ଏଣିକି ରାଜ୍ୟଗୁଡିକ ସାମାଜିକ ଏବଂ ଆର୍ଥିକ ଅନଗ୍ରସର ପଛୁଆବର୍ଗଙ୍କ ତାଲିକା ପ୍ରସ୍ତୁତ କରିପାରିବେ ।
କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର SEBC ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣର ସୁବିଧା ପାଉଛନ୍ତି । ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି SEBC ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ପୂର୍ବଭଳି ରାଜ୍ୟଗୁଡିକ SEBC ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧୀ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ବିଜେଡି ସମେତ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି । ସଂରକ୍ଷଣ ସୀମା ୫୦%ରେ ସୀମିତ ଥିବାରୁ SEBCଙ୍କୁ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ SEBC ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି ।
କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖୁବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆ ବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।
ତେବେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପରି ନେବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍କାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ SEBCଙ୍କ ପାଇଁ ଅତି କମ୍ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଗତ ଲୋକସଭା ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ ।
Comments are closed.