ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ ମେଣ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି,‘‘ ମେଣ୍ଟ ହେଉକି ନହେଉ ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ । ମେଣ୍ଟ ବାବଦରେ ଆମେ ଶୁଣୁଛୁ, ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ମେଣ୍ଟ ପାଇଁ ବିଜେଡି ରାଜି ହୋଇଛି । ମେଣ୍ଟ ହେଲେ କିଛି ଲୋକଙ୍କ ଟିକେଟ୍ କଟିବ, କେହି ବିଦ୍ରୋହୀ ହେବେନି ।’’
ଅନ୍ୟପକ୍ଷରେ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପ୍ରତିକ୍ରିୟା ଉପରେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ କାଉଣ୍ଟର ଆଟାକ୍ କରିଛନ୍ତି । ସେ କହିଛନ୍ତି,‘‘ ବିଜେପି ଏକାକୀ ଲଢ଼ି ଓଡ଼ିଶାରେ ସରକାର ଗଠନ କରିବ । ଯାଜପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାର ସୁନାମୀ ଦେଖି ବିଜେଡି ଛାନିଆ ହୋଇ ପଡ଼ିଛି । ମୁଖ୍ୟମନ୍ତ୍ରୀ ବିଚଳିତ ହୋଇପଡ଼ିଛନ୍ତି । ମେଣ୍ଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହିସାରିଛନ୍ତି । ୧୧୨ ସିଟ୍ ଜିତିଥିବା ବିଜେଡି ସିଧାସଳଖ ମେଣ୍ଟ ହେବନି ବୋଲି କହୁ।’’
ଏପେଟେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି କହିଛନ୍ତି । ସେ କହିଛନ୍ତି,’’ ଆମେ ରାଜ୍ୟର ସବୁ ସିଟରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ୍ ପାଇ ସରକାର ଗଢ଼ିବୁ। ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ ।’’
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ବିଜେଡି ସହିତ ମେଣ୍ଟ କରିବା ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଥିଲେ ।
Comments are closed.