ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସୋମବାରଠାରୁ ସଭ୍ୟ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ‘ସଭ୍ୟ ସଂଗ୍ରହ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି । ଏବେ ବିଜେଡ଼ିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ରହିଥିବା ବେଳେ ସଭ୍ୟ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବ ଦଳ ।
ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଥିବା @bjd_odisha ର ସଭ୍ୟ ସଂଗ୍ରହ ଅଭିଯାନର ସଫଳ ରୂପାୟନ ପାଇଁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତାଙ୍କ ସହ ଆଲୋଚନା କଲି। #5T ମନ୍ତ୍ରକୁ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି ଦଳର କର୍ମୀଙ୍କୁ ଆହ୍ୱାନ କରିଛି। pic.twitter.com/2H5ZARzY3B
— Naveen Patnaik (@Naveen_Odisha) September 1, 2019
ସଭ୍ୟ ସଂଗ୍ରହ ଅଭିଯାନର ଲକ୍ଷ୍ୟ ପୂରଣ ଲାଗି ସୋମବାର ଠାରୁ ଆରମ୍ଭ ହେଉଥିବା ବେଳେ ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ବିଜେଡ଼ି କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରବିବାର ଦିନ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯାନର ରୋଡ଼ମ୍ୟାପକୁ ଅନୁମୋଦନ କରିଥିଲେ । ଏହି ଅବସରରେ ଦଳର ସମସ୍ତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ, ଏହି ଅଭିଯାନରେ ପ୍ରତି ଘରେ ଘରେ ପହଞ୍ଚିବାକୁ ଉଦ୍ୟମ କରିବା ଉଚିତ ।
ଏନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଣବ ପ୍ରକାଶ ଦାସ ସଦସ୍ୟ ରହିଛନ୍ତି ।
ଏହି ଅଭିଯାନକୁ ପ୍ରତି ୧୫ ଦିନରେ ଥରେ ଲେଖାଏଁ ନିଜେ ବିଜେଡ଼ି ସୁପ୍ରିମୋ ତଦାରଖ କରିବେ ବୋଲି କହିଛନ୍ତି ।
ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ଦଳୀୟ ନେତା ତଥା କର୍ମୀ ମାନଙ୍କୁ ପରାମର୍ଶ ଦେଇ ନବୀନ କହିଛନ୍ତି ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ୧୫୦ତମ ଜୟନ୍ତୀ ପାଳନ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ଗାନ୍ଧୀବାଦୀ ଅନୁଷ୍ଠାନଗୁଡ଼ିକର ମିଳିତ ସହଯୋଗରେ ମହାତ୍ମାଙ୍କ ଆଦର୍ଶକୁ ପ୍ରସାର କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହାହିଁ ଜାତିର ଜନକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
Comments are closed.