Latest Odisha News

BREAKING NEWS

ବିଜେଡିକୁ ହିନ୍ଦୁ ବିରୋଧୀ କହିଲା ବିଜେପି, ଶାସକ ଦଳ କହିଲା ହିଂସା ଯେଉଁଠି ବିଜେପି ସେଇଠି

ଭୁବନେଶ୍ୱର: ସମ୍ବଲପୁର ହିଂସାକାଣ୍ଡକୁ ନେଇ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଅଭିଯୋଗ କରିଛି ଯେ, ବିଜେଡିର ହିନ୍ଦୁ ବିରୋଧୀ ମାନସିକତା ରହିଛି ଏବଂ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି। ବିଜେଡି ଏହି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିବା ସହ ବିଜେପିର ଧର୍ମକୁ ନେଇ ରାଜନୀତିକୁ ନିନ୍ଦା କରିଛି।

ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇନାହିଁ। ଏଥିସହ ୟୁପିର ମୃତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମର ଓଡ଼ିଶା ଗସ୍ତ ଓ ଶାସକ ଦଳର ଜଣେ ନେତାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ପ୍ରସଙ୍ଗ ଉଠାଇଛନ୍ତି।

ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଯୋଜନାଠାରୁ ରତ୍ନ ଭଣ୍ଡାର ଲୁଟିବା ଆଉ ଚାବି ହଜିବା କହିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନ ନେବା, ଗୋଟେ ଘରୋଇ କମ୍ପାନୀକୁ ଜଗନ୍ନାଥଙ୍କ ଜମି ଦେବା ପାଇଁ ମସୁଧା କରି ସୁପ୍ରିମକୋର୍ଟରୁ ଭର୍ସନା ଶୁଣିବା ଜଗନ୍ନାଥଙ୍କ ପ୍ରତି ଏପରି ପ୍ରତି ପୋଷଣ ସରକାରଙ୍କ ହିନ୍ଦୁ ବିରୋଧୀ ମାନସିକତା ନୁହେଁ ତ ଆଉ କଣ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ପ୍ରଶ୍ନ କରିଛନ୍ତି।

ଲକ୍ଷ୍ଣଣା ନନ୍ଦ ସରସ୍ୱତୀଙ୍କ ହତ୍ୟାର ରିପୋର୍ଟ ନ ଆସିବା କଣ ରାଜ୍ୟ ସରକାରଙ୍କ ହିନ୍ଦୁ ବିରୋଧୀ ମନୋଭାବ ନୁହେଁ କି ବୋଲି ସେ ମଧ୍ୟ ଏହି ନେତା ପ୍ରଶ୍ନ କରିଛନ୍ତି।

ସେହିପରି ଗୁଡୁ ମୁସଲିମ ଶ୍ରୀକ୍ଷେତ୍ର ପବିତ୍ର ପୁରୀକୁ ଅପବିତ୍ର କରି ବରଗଡ଼ ଗଲା ଆଉ ସେଠି ଯାହା ସହ ମିଶିଲେ ସେ କାହା ବନ୍ଧୁ ? ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବନ୍ଧୁ ସେ ନୁହଁନ୍ତି କି  ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ସେହିପରି ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ବିଜେଡି ହିନ୍ଦୁ ବିରୋଧୀ ବୋଲି ପ୍ରଥମ ଥର ଶୁଣୁଛନ୍ତି ବୋଲି କହିଛନ୍ତି। ବିଜେଡିରେ ହିନ୍ଦୁ ଅଛନ୍ତି ଆଉ ବିଜେପିରେ ବି ଅଛନ୍ତି। ଧର୍ମକୁ ନେଇ ରାଜନୀତି କରିବା ଠିକ ନୁହେଁ। ବିଜେପିର ଏଭଳି ଅଭିଯୋଗକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ବିଜେପି ରକ୍ତରେ ହିଂସା ପ୍ରଭାହିତ ହୋଇଛି। ଦେଶରେ ଯେଉଁ ଯେଉଁ ଜାଗାରେ ହିଂସା ହୋଇଛି ସବୁ ବିଜେପି ଦ୍ୱାରା ହିଁ ହୋଇଛି ବୋଲି ସେ କହିଛନ୍ତି। ବିଜେଡି ନାଁ ରେ କେବଳ ବିଜେପି କେବଳ ମିଛ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି।

ଏହି ରାଜନୈତିକ ଛକାପଞ୍ଝା ଭିତରେ ହନୁମାନ ଜୟନ୍ତୀରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚନ୍ଦ୍ରକାନ୍ତ ମିର୍ଦ୍ଧାଙ୍କ ପରିବାରକୁ ଭେଟିବାକୁ ଝାରବନ୍ଧ ଗାଁକୁ ଯାଇଥିଲେ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ। ତେବେ ଘରେ ତାଲା ପଡ଼ିଥିବା ବେଳେ ଅନନ୍ତ ନାୟକ ଗ୍ରାମବାସୀଙ୍କ ସହ ବୈଠକ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଅନନ୍ତ ନାୟକ ଭବାନୀପାଲି ଗାଁକୁ ଯାଇ ଏହି ଘଟଣାରେ ଆହତ ହୋଇଥିବା କାଳିଆ ଶିଖଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି।

ତଦନ୍ତ ସରିବା ପରେ ଚୂଡାନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ କମିସନ ସେହି ସ୍ଥାନକୁ ପୁନଃ ପରିଦର୍ଶନ କରିବେ ବୋଲି ଅନନ୍ତ ନାୟକ କହିଛନ୍ତି।

Comments are closed.