Latest Odisha News

BREAKING NEWS

ଆଗୁଆ ନିର୍ବାଚନ ନେଇ ମୁହାଁମୁହିଁ ବିଜେପି-ବିଜେଡି: ସାଂସଦଙ୍କୁ କାଉଣ୍ଟର କଲେ ବିଧାୟକ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କରିବୁନି । ଏକା ଏକା ଲଢିବୁ । ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ବିଜେଡି ସହ ମେଣ୍ଟ କରିବୁନି । ନିକଟରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସମାନ କଥା କହିଛନ୍ତି। ଶ୍ରୀମତୀ ଷଡଙ୍ଗୀ କହିଛନ୍ତି,  ରାଜ୍ୟରେ ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି । ସାଂସଦ ଆହୁରି କହିଛନ୍ତି, ଯଦି ବି ଓଡ଼ିଶାରେ  ଆଗୁଆ ନିର୍ବାର୍ଚନ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି । ସାଂସଦଙ୍କର ଏପରି କଥାକୁ ନେଇ କାଉଣ୍ଟର କରିଛି ବିଜେଡି । ବିଜେଡି ବିଧାୟକ ପର୍ଶୁରାମ ଧଡା ପାଲଟା ପ୍ରଶ୍ନ କରିଛନ୍ତି, ସରକାର ଯେଉଁଠି ଆଗୁଆ ନିର୍ବାଚନ କଥା କହିନାହାନ୍ତି ସେଠି ସାସଂଦ ଜାଣିଲେ କେମିତି ? ଏପରିକି ସାଂସଦ ଅପରାଜିତାଙ୍କର ରାଜନୈତିକ ଅଭିଜ୍ଞତା ନ ଥିବାରୁ ସେ ବୁଝିପାରୁନି ବୋଲି କହିଛନ୍ତି ବିଜେଡି ବିଧାୟକ ।

ସାଂସଦ ଅପରାଜିତା କହିଛନ୍ତି, ବିଜେଡି ସରକାର ବିରୋଧରେ ତୃଣମୂଳ ସ୍ତରରେ ପହଞ୍ଚବା ପାଇଁ ଅମିତ ଶାହ ମନ୍ତ୍ର ଦେଇ ଫେରିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ଲଢିବ । ଆଗଆ ନିର୍ବାଚନ ହେଲେ ବି ବିଜେପି ଏଥିପାଇଁ ପ୍ରସ୍ତୁତ । କିନ୍ତୁ ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଅପରାଜିତା ।

ତେବେ ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କଲେ ହିଁ ଆଗୁଆ ନିର୍ବାଚନ ହୋଇ ପାରିବ । କିନ୍ତୁ ବିଜେଡି ଏତେ ତରତର କାହିଁକି ନିର୍ବାଚନ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଜନତା ୫ ବର୍ଷ ପାଇଁ ଭୋଟ ଦେଇଥିବାରୁ ୫ ବର୍ଷ ପୂରଣ କରନ୍ତୁ ବୋଲି କହିଛନ୍ତି ସାସଂଦ ଅପରାଜିତା ।

ସାଂସଦଙ୍କ ଏପରି ବୟାନକୁ କାଉଣ୍ଟର କରିଛି ବିଜେଡି । ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ସରକାର ଚାହିଁଲେ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଆଗୁଆ ନିର୍ବାଚନ କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । ଅପରାଜିତାଙ୍କର ରାଜନୈତିକ ଅଭିଜ୍ଞତା ନ ଥିବାରୁ ସେ ଏପରି କହୁଛନ୍ତି । ତେବେ ବିଜେଡି ଆଗୁଆ ନିର୍ବାଚନ କଥା କହି ନ ଥିବାବେଳେ ବିଜେପି ସାଂସଦ ଏକଥା କାହିଁକି ଉଠାଉଛନ୍ତି ବୁଝି ହେଉନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ସେହିପରି ମେଣ୍ଟ ପ୍ରସଙ୍ଗରେ ବିଜେଡି ବିଧାୟକ କହିଛନ୍ତି, ଆମ ବାହୁବଳରେ ଆମେ ଲଢିବୁ । କାରଣ ବିଜେଡି ସହ ସାଢେ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ସରକାର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ଏବଂ ଲୋକେ ସରକାରଙ୍କ ଉପରେ ବର୍ଷିଛନ୍ତି ।

Comments are closed.