ଭୁବନେଶ୍ୱର: ମହିଳାଙ୍କ ସମ୍ମାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଏହାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ, କାଦୁଅଫିଙ୍ଗା । ମହିଳାଙ୍କୁ ସବୁଠୁ ଅଧିକ ଅତ୍ୟାଚାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ମହିଳାଙ୍କୁ ଭୋଟବ୍ୟାଂକ ପାଇଁ ଅଧିକ ବ୍ୟବହାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏମିତି କହି ବିଜେପି ବିଜୁ ଜନତାଦଳକୁ ଆକ୍ଷେପ କରିଥିବାବେଳେ ବିଜେଡି କହିଛି ମହିଳାଙ୍କ ସଶକ୍ତୀକରଣ ଚାହୁଁ ନାହିଁ ରାଜ୍ୟ ବିଜେପି । ଏପରକି ବିଜେପି ନେତା ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।
ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ଉପରେ ବର୍ଷିଛନ୍ତି ବିଜେଡି-ବିଜେପି ମହିଳା ଶାଖା । ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମହିଳାଙ୍କୁ ସବୁଠୁ ଅଧିକ ଅତ୍ୟାଚାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ମହିଳାଙ୍କୁ ଭୋଟବ୍ୟାଂକ ପାଇଁ ଅଧିକ ବ୍ୟବହାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ୨୩ ବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜୁ ଜନତା ଦଳ ବର୍ତମାନ ମହିଳାମାନଙ୍କୁ ଅସ୍ତ୍ର କରିଛି । ରାଜ୍ୟରେ ଘଟିଯାଉଥିବା ଅଧିକାଂଶ ମହିଳା ବ୍ୟଭିଚାର ଓ ଉତ୍ପୀଡନ କ୍ଷେତ୍ରରେ ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବା କାହାକୁ ଅଛପା ହୋଇ ରହିନାହିଁ । ବରଂ ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବାର ଚର୍ଚ୍ଚା ଘରେ ଘରେ ହେଉଛି । ନାରୀ ନିର୍ଯ୍ୟାତନାର ଏନ୍ତୁଡିଶାଳ ହେଉଛି ବିଜୁ ଜନତା ଦଳ । ଏହି ସମୟରେ ଅତ୍ୟନ୍ତ ବେଲଜ୍ଜା ଭାବେ ବିରୋଧୀମାନଙ୍କୁ ଆକ୍ଷେପ କରି ବିଜୁ ଜନତା ଦଳର ପ୍ରବକ୍ତା ନିଜ ଦଳର ମହିଳାବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ।
ଲେଖାଶ୍ରୀ ଆହୁରି କହିଛନ୍ତି , ସଂଯୁକ୍ତା ମହଲା କେଉଁ ଦଳର ? ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀପଦରୁ କାହିଁକି ହଟାଗଲା ? ମୁଖ୍ୟମନ୍ତ୍ରୀ ଯଦିଓ ଚାପରେ ପଡି ଏହାକୁ ସ୍ୱୀକାର କଲେ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ବହୁର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଂକର ମିଶ୍ରଙ୍କ ଭୁମିକା କଣ ଥିଲା ? ତିର୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କ ବ୍ୟଭୀଚାର ଘଟଣାକୁ ମୁଖ୍ୟମନ୍ତ୍ରୀ କାହିଁକି ଏଡାଇ ଦେଉଛନ୍ତି ? ବିଜୁ ଜନତା ଦଳ ହିଁ ମହିଳାମାନଙ୍କୁ ଅତ୍ୟାଚାର କରୁଛି ଏବଂ ବିଜେପି ଏହାର ପ୍ରତିବାଦ କରି ଆନ୍ଦୋଳନ କଲେ ବିଜେଡି ଅସହ୍ୟ ହୋଇ ମିଛ ଲାଂଛନା କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସେପଟେ ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମିଶନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜ୍ୱଳ ଉଦାହରଣ ପାଲଟିଥିବାବେଳେ ରାଜ୍ୟର ବିଜେପି ନେତୃତ୍ୱ କିନ୍ତୁ ଏହାକୁ ସହ୍ୟ କରିପାରୁ ନାହାନ୍ତି ।
ଲେଖାଶ୍ରୀ କହିଛନ୍ତି, ୬ ଲକ୍ଷ ମହିଳା ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କ ସହିତ ମିଶନ୍ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି ଯାହା କି ଓଡିଶାର ମହିଳାମାନଙ୍କୁ ରୋଷେଇ ଘରର ଚାରି କାନ୍ଥ ଅତିକ୍ରମ କରାଇ ସମାଜ ପରିବର୍ତ୍ତନକାରୀରେ ପରିଣତ ହୋଇପାରିଛି । ତେବେ ମହିଳା ଏସଏଚଜି ଓଡିଶାରେ ସମସ୍ତ ପ୍ରକାର ଭଲ କାର୍ଯ୍ୟ କରୁଥିବା ସତ୍ତ୍ୱେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡିଶା ବିଜେପି ନେତାମାନେ ମହିଳା ଏସଏଚଜି ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି । ସେମାନଙ୍କ ମିଥ୍ୟା ଅଭିଯୋଗ ଦେଖିଲେ ଲାଗୁଛି ଯେପରି ସେମାନେ ଏଥିପାଇଁ ଟଙ୍କା ନେଉଛନ୍ତି । ଏହା ଓଡିଶା ବିଜେପି ନେତାଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ । ଏହା ଦର୍ଶାଉଛି ଯେ ଓଡିଶାରେ ଚାଲିଥିବା ମହିଳାଙ୍କ ସଶକ୍ତିକରଣ ଏବଂ ସମାଜକୁ ପରିବର୍ତ୍ତନ କରିବାର ପ୍ରୟାସ ପ୍ରତି ସେମାନେ ଅତ୍ୟନ୍ତ ଅସହିଷ୍ଣୁ ହୋଇ ପଡିଛନ୍ତି ।
Comments are closed.