Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ: ପ୍ରଶ୍ନ ଉଠାଇଲା ବିଜେପି, ଜବାବ ଦେଲା ବିଜେଡି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତି ହୋଇଛନ୍ତି। ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେପି କହିଛି ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର ହୋଇପଡିଛନ୍ତି। ଆଉ ପୂର୍ବରୁ ହୋଇଥିବା କୁନ୍ଦୁଲି ଏବଂ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ଅବସରପ୍ରାପ୍ତ ବିଚାରପତିଙ୍କ ନିଯୁକ୍ତିର ଫଳାଫଳ କଥା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳ କହିଛି, ବିରୋଧୀ ବିଜେପିର କ୍ରାଇମବ୍ରାଞ୍ଚ ତଦନ୍ତକୁ ଭୟ କାହିଁକି।

ସ୍ୱର୍ଗତ ଦାସଙ୍କୁ କିଏ ଓ କାହିଁକି ମାରିଲା ଏବଂ ବାସ୍ତବରେ ଏହି ହତ୍ୟାର ଷଡଯନ୍ତ୍ର ପଛରେ କିଏ କିଏ ଅଛନ୍ତି, ସେ ସମ୍ପର୍କରେ ରାଜ୍ୟ ସରକାର ଜାଣିବାକୁ ଚାହୁଁନାହାନ୍ତି । ପ୍ରଥମରୁ ଏହା ପଛରେ ଏକ ବିରାଟ ଷଡଯନ୍ତ୍ର ଥିବାର ରାଜ୍ୟବାସୀ ଅନୁଭବ କରୁଥିବାବେଳେ ରାଜ୍ୟ ସରକାର କାଳ ବିଳମ୍ବ ନକରି କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତର ନିର୍ଦ୍ଦେଶ ଦେଲେ । ଏହା ପରେ ଏହି ଅଭାବନୀୟ ଘଟଣାର ତଦନ୍ତକୁ ଜଣେ ହାଇକୋର୍ଟ ଜଜ୍‌ଙ୍କ ଦ୍ୱାରା ମନିଟରିଂ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କଲେ। ଏହି କ୍ରମରେ ଅବସରପ୍ରାପ୍ତ ଜଜ୍ ଶ୍ରୀଯୁକ୍ତ ଜେ.ପି.ଦାସଙ୍କୁ ତଦନ୍ତର ଦାୟିତ୍ୱ ପ୍ରଦାନ କରାଯାଇଛି । ସୁପାରିଶ ଆଧାରରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ଦିଆଯିବା ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ସେହିପରି ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା । ଆଜି ପର୍ଯ୍ୟନ୍ତ ଉପରୋକ୍ତ ଦୁଇଟି ଘଟଣାର କୈାଣସି ଫଇସଲା ସାମ୍ନାକୁ ଆସିଲା ନାହିଁ । ଏପରି ସ୍ଥଳେ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ବିଜେପିକୁ କଡା ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଅନୁଧ୍ୟାନ କରିବେ। ଯେତେବେଳେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଲେନିନ ମହାନ୍ତି କହିଛନ୍ତି।

 

 

Leave A Reply

Your email address will not be published.