Latest Odisha News

BREAKING NEWS

ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି ଆର୍ଥିକ ଲାଭ ପାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଦଳିବାରେ ଲାଗିଛି।

ଏକାଦଶ ପର୍ଯ୍ୟାୟରେ ୩୩ ଲକ୍ଷ ହିତାଧିକାରୀ ଏହି ସୁବିଧା ପାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଖ୍ୟା ୨୩ ଲକ୍ଷକୁ ହ୍ରାସ ପାଇଛି।  ହେଲେ ରାଜ୍ୟର ନିଜସ୍ୱ କୃଷକ ସହାୟତା ଜୀବିକା ଓ ଆୟ ବୃଦ୍ଧି (କାଳିଆ) ଯୋଜନାରେ ପ୍ରାୟ ୪୦ ହଜାର ଚାଷୀ ଏହି ସୁବିଧା ପାଉଛନ୍ତି। ଚାଷୀ ସଂଖ୍ୟାରେ ଏହି ଅସଙ୍ଗତିକୁ ନେଇ ବିରୋଧୀ ବିଜେପି ଶାସକ ବିଜେଡିକୁ ସମାଲୋଚନା କରିଛି। ଯାହାକୁ ନେଇ ବିଜେପି ଅଭିଯୋଗ ଆଣିଛି ଯେ ରାଜ୍ୟ ସରକାର ଅନେକ ହିତାଧିକାରୀଙ୍କ ନାଁ ଦେଉନାହାନ୍ତି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଓଡିଶାର ଚାଷୀ ବଞ୍ଚିତ ହେବା ଅତ୍ୟନ୍ତ ପରିତାପର ବିଷୟ. କୃଷକଙ୍କ ସଂଖ୍ଯା ୩୩ ଲକ୍ଷରୁ ୨୧ ଲକ୍ଷକୁ ହ୍ରାସ ପାଇଛି ଏବଂ ପରବର୍ତ୍ତୀ ସମୟରେ ୨୩ ଲକ୍ଷକୁ ପରିବର୍ତ୍ତନ କରାଯାଇଛି। ଯୋଜନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ପ୍ରଧାନମନ୍ତ୍ରୀ ଅନେକ ଯୋଜନାରେ ରାଜ୍ୟକୁ ଅର୍ଥ ଦେଉଛନ୍ତି ଏବଂ ଏହାର ସଠିକ୍ ବିନିଯୋଗ ହେବା ଉଚିତ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ଏହାର ଉତ୍ତରରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ, ବିଜେପି କେବଳ କାହାଣୀ କହୁଛି। ରାଜ୍ୟ ସରକାର କେବେ ବି ଚାଷୀଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିନାହାନ୍ତି। ରାଜ୍ୟ ସରକାରଙ୍କୁ ଦାୟୀ କରିବା ବ୍ୟତୀତ ବିଜେପିର ଅନ୍ୟ କୌଣସି ଭୂମିକା ନାହିଁ। ଅପରପକ୍ଷରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଇ-କେଓ୍ୱାଇସି ବାଧ୍ୟତାମୂଳକ କରିବା ଫଳରେ ଚାଷୀମାନେ ନିରାଶ ହୋଇ ଫେରିଛନ୍ତି।

ସେ କହିଛନ୍ତି, ଏଥର ମୋ ନାଁକୁ କାଟି ଦିଆଯାଇଛି। ପଚରାଉଚରା କରିବାରୁ ମୋତେ କୁହାଯାଇଥିଲା ଯେ କେୱାଇସି ଅପଡେଟ୍ ହୋଇ ନ ଥିବାରୁ ମୋ ନାଁ କଟିଯାଇଛି। ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନାମ ଏହି କାରଣରୁ ହଟାଇ ଦିଆଯାଇଛି ବୋଲି ପିପିଲିର ଚାଷୀ ଅଭୟ ପ୍ରସାଦ ମିଶ୍ର କହିଛନ୍ତି।

Leave A Reply

Your email address will not be published.