Latest Odisha News

BREAKING NEWS

ବଜେଟରେ ମାଗଣା ଯୋଜନାରେ ବଣ୍ଟାବଣ୍ଟି କରି ଭୋଟ୍ ହାତେଇବା ଉଦ୍ଦେଶ୍ୟ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ସର୍ବାଧିକ ୩୮ ହଜାର ୪୩୭ କୋଟି ଟଙ୍କା ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ଆବଣ୍ଟନ କରାଯାଇଛି । ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କୃଷି କ୍ଷେତ୍ର ପାଇଁ ୨୮ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହିପରି ରାଜ୍ୟର ସମସ୍ତ ବର୍ଗର ଲୋକଙ୍କୁ ସୁହାଇଲା ଭଳି ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରି ବଜେଟ ପ୍ରସ୍ତୁତ ହୋଇଛି ବୋଲି ସରକାର କହିଛନ୍ତି।

ଅପରପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବଜେଟକୁ ଭୋଟ ହାତେଇବାର ମାଧ୍ୟମ ବୋଲି କହୁଥିବା ବେଳେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ବଜେଟକୁ ଗୋଲାପୀ ଚିତ୍ର ବୋଲି କହିଛି।

ବଜେଟର ଆକାର ବଢିଛି କିନ୍ତୁ ଗତ ବଜେଟର ଏକ ଲକ୍ଷ କୋଟି ଅର୍ଥ ଖର୍ଚ୍ଚ ହୋଇପାରିନି। ଏହି ବଜେଟ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ। ଏହା ଲୋକଙ୍କ ପାଇଁ ନୁହେଁ। ବିଭିନ୍ନ ଯୋଜନାରେ ମାଗଣା ବଣ୍ଟା ବଣ୍ଟି କରି ଭୋଟ ଆଣିବା ହେଉଛି ଉଦ୍ଦେଶ୍ୟ।

ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ୨.୩୦ ଲକ୍ଷ କୋଟି ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ? ବର୍ଷ ବର୍ଷ ଧରି ବଳକା ରାଜସ୍ୱର ବଜେଟ୍ ଆଣୁଥିବା କଥା କୁହାଯାଉଛି । ତେଣୁ ଚଳିତ ବଜେଟରେ ରାଜ୍ୟ ସରକାର ଋଣ ବୋଝ ହାଲୁକା କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି ବୋଲି ସମୀର ମହାନ୍ତି କହିଛନ୍ତି।

ସେହିପରି କଂଗ୍ରେସ କହିଛି, ରାଜ୍ୟ ସରକାର ଉପସ୍ଥାପନ କରିଥିବା ଏହି ଗୋଲାପୀ ଚିତ୍ରକୁ ରାଜ୍ୟବାସୀ କେବେବି ଗ୍ରହଣ କରିବେ ନାହିଁ। ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ଏହି ବଜେଟ ପ୍ରସ୍ତୁତି କରିଛି। କିନ୍ତୁ ସେଥିରୁ ଆଶାନୁରୂପ ଫଳ ମିଳି ନ ଥାଏ। ଏହା କେବଳ ଗୋଲାପି ଚିତ୍ର ବ୍ୟତୀତ ଆଉ କିଛି ନୁହେଁ ବୋଲି ତାରା ବାହିନୀପତି କହିଛନ୍ତି।

Comments are closed.