Latest Odisha News

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଡ଼ ଅଡୁଆ ହୋଇଛି । ଅବକାରୀ ଦୁର୍ନୀତିର ଦମ୍ ନଥିଲେ ମଧ୍ୟ ଆପ୍‌ ସରକାରକୁ ଦିଲ୍ଲୀର ଆପଦା କହି, କେଜ୍ରିୱାଲଙ୍କ ପାର୍ଟି ବିରୋଧରେ ରଣହୁଂକାରର ସୁରୁଆତ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିସ୍ ମହଲ ପ୍ରସଙ୍ଗ ମଧ୍ୟ କେଜ୍ରିୱାଲ ଓ ତାଙ୍କ ପାର୍ଟିକୁ ଅକଳରେ ପକାଇଥିଲା ।…

ନବଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ଟକ୍କର ଦେଇଛନ୍ତି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । କଂଗ୍ରେସ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷୀତଙ୍କୁ କେଜ୍ରିୱାଲଙ୍କ ବିରୋଧରେ ନୂଆଦିଲ୍ଲୀ ଆସନରେ ପ୍ରାର୍ଥୀ କରାଇଛି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ପରଭେଶ ବର୍ମାଙ୍କୁ ଛିଡ଼ା କରାଇଛି ବିଜେପି । ୨୦୧୪ ପୂର୍ବରୁ ଇଷ୍ଟ ଦିଲ୍ଲୀ ଆସନରୁ ୨ ଥର ସାଂସଦ ଥିଲେ ସନ୍ଦୀପ ଦୀକ୍ଷିତ । ସେହିଭଳି ପଶ୍ଚିମ ଦିଲ୍ଲୀରୁ ମଧ୍ୟ ୨ ଥର ସାଂସଦ ରହିଥିଲେ ପରଭେଶ ବର୍ମା । ଗତ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା । ସନ୍ଦୀପ ତାଙ୍କ ମାଆ ଶୀଲା ଦୀକ୍ଷିତଙ୍କ ଲିଗାସିକୁ ପାଥେୟ କରି ମୈଦାନକୁ ଓହ୍ଲାଇ ଥିବା ବେଳେ ପରଭେଶ ମଧ୍ୟ ତାଙ୍କ ବାପା ସାହିବ୍ ସିଂହ ବର୍ମାଙ୍କ ଲିଗାସିକୁ ଭରସା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରାର୍ଥୀ ନୂଆଦିଲ୍ଲୀ ବିଧାନସଭା ଆସନ ଜିତିଛନ୍ତି, ସେ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀ ଆସନ ଜିତି, ଶେଷଥର ପାଇଁ ୨୦୦୮ରୁ ୨୦୧୩ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ କଂଗ୍ରେସର ଶୀଲା ଦୀକ୍ଷିତ । କିନ୍ତୁ ୨୦୧୩ ପ୍ରଥମ ପଦାର୍ପଣରେ ତାଙ୍କୁ ହରାଇ ଦେଲେ ଅରବିନ୍ଦ କେଜ୍ରିୱାଲ । କଂଗ୍ରେସ କିମ୍ବା ବିଜେପି- କେହି ଏଥର କେଜ୍ରିୱାଲଙ୍କୁ ୱାକ୍ ଓଭର୍ ଦେବା ମୁଡ୍‌ରେ ନାହାନ୍ତି । ଦିଲ୍ଲୀ ନିର୍ବାଚନ, ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ଅସ୍ତିତ୍ବର ପ୍ରଶ୍ନ । କଂଗ୍ରେସ ପାଇଁ ଏହା ଫୁଟ୍ ପ୍ରିଣ୍ଟର ପ୍ରଶ୍ନ । ଦିନ ଥିଲା ଦିଲ୍ଲୀ ଥିଲା କଂଗ୍ରେସର ଗଡ଼ । ଶୀଲା ଦୀକ୍ଷିତଙ୍କ ଜମାନାର ଝଲକ୍, ଏବେ ବି ଦିଲ୍ଲୀର କୋଣ ଅନୁକୋଣରେ ରହିଛି । ହେଲେ ୨୦୧୩ରେ ପ୍ରଥମ ପଦାର୍ପଣରେ କେଜ୍ରିୱାଲ୍, ଶୀଲା ଦୀକ୍ଷିତଙ୍କୁ ହରାଇବା ପରେ ଜାତୀୟ ରାଜଧାନୀରେ କଂଗ୍ରେସର ସତ୍ତା ଶୂନ ହୋଇ ଯାଇଛି କହିଲେ ଭୁଲ ହେବନି ।

୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି କ୍ଷମତାକୁ ଆସିବା ପରେ ୨୦୧୫ରେ ପ୍ରଥମେ ସାମ୍ନା କରିଥିଲେ ଦିଲ୍ଲୀ ନିର୍ବାଚନ । ସେତେବେଳେ ବିଜେପିର ହାୱା ପ୍ରବଳ ଥିଲା । ୭୦ ଆସନରୁ ସେତେବେଳେ ଆମ୍ ଆଦମୀ ପାର୍ଟିକୁ ୬୭ ଆସନ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୩ । ସେହିଭଳି ୨୦୨୦ରେ ୬୨ଟି ଆସନ ମିଳିଥିଲା ଆପ୍‌କୁ, ବିଜେପି ପାଇଥିଲା ୮ଟି । ଗତ ନିର୍ବାଚନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ ୫୩.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ୩୮.୫ ପ୍ରତିଶତ । କଂଗ୍ରେସର ଭୋଟ୍ ଶେୟାର୍ ମାତ୍ର ୪.୨୬ ପ୍ରତିଶତ ଥିଲା । ୨୦୧୫ ଓ ୨୦୨୦ରେ ନାକ ତଳର ନିଶକୁ ନିଜର କରିପାରି ନଥିବା ବିଜେପି, ଏଥର ଆପ୍ ବିରୋଧରେ ଫୁଲ୍ ଫୋର୍ସ ଦେଇ ଲଢ଼େଇ କରିଛି । ସେପଟେ ପୂର୍ବ ୨ଟି ନିର୍ବାଚନ ଅପେକ୍ଷା ଏଥର କଂଗ୍ରେସ ଆପ୍ ବିରୋଧରେ ଅଧିକ ଆଗ୍ରେସିଭ୍ ହୋଇଛି । ଦଳିତ ଓ ମୁସଲିମ୍ ଭୋଟ୍ ଯଦି ବିଭାଜନ ହୋଇଥିବ ଏବଂ କଂଗ୍ରେସର ଭୋଟ ଶେୟାର ଯଦି ୬ରୁ ୭ ପ୍ରତିଶତ ମଧ୍ୟରେ ରହେ, ତେବା ଆପ୍ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହୁଛି ।

Comments are closed.