ନୂଆଦିଲ୍ଲୀ: ହୋଣ୍ଡା ଏବଂ ନିସାନ ଦୁଇଟି ନାମିଦାମି ଜାପାନୀ ଅଟୋମୋବାଇଲ କମ୍ପାନୀ। ଏହା ପରସ୍ପର ସହ ମିଶ୍ରଣ ହେବାକୁ ଥିବା ବେଳେ ଆଲୋଚନା ଅଧାରେ ଅଟକିଛି।
ସୂଚନା ଅନୁଯାୟୀ, ନିସାନକୁ ସହାୟକ କମ୍ପାନୀ କରିବାର ସଙ୍କେତ ପରେ ବୋର୍ଡ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା। ତେବେ ବୋର୍ଡ ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ।ଏହି ବିଫଳତା ଉଭୟ କମ୍ପାନୀର ଭବିଷ୍ୟତ ଉପରେ ବଡ଼ ପ୍ରଭାବ ପକାଇବ।
ଯଦି ନିସାନ ଏବଂ ହୋଣ୍ଡା ଏହି ଆଲୋଚନାରେ ସଫଳ ହେବେ ତାହେଲେ କମ୍ପାନୀ ବିଶ୍ୱର ତୃତୀୟ ବୃହତ୍ତମ ଅଟୋମେକର ହୋଇପାରିଥାନ୍ତା। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବାହ୍ୟ ସମର୍ଥନ ବିନା ନିସାନ କିପରି ଏହାର ଆର୍ଥିକ ସଙ୍କଟକୁ ଦୂର କରିବ।
ଅପରପକ୍ଷରେ ଉଭୟ ପକ୍ଷର ଆଲୋଚନା ବାତିଲ ହେବା ପରେ ମଧ୍ୟ ହୋଣ୍ଡା ସେୟାର ୨% ଏବଂ ନିସାନ ସେୟାର ୧.୬% ବୃଦ୍ଧି ପାଇଥିଲା। ଦୁଇ କମ୍ପାନୀର ପ୍ରବକ୍ତାମାନେ ଫେବୃଆରୀ ମଧ୍ୟଭାଗରେ ଏହି ପ୍ରସଙ୍ଗରେ ଏକ ଆନୁଷ୍ଠାନିକ ଘୋଷଣା କରିବେ ବୋଲି କହିଛନ୍ତି।
ବଜାରରେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ପ୍ରତି ବଢୁଥିବା ଚାହିଦା ସହ ନିସାନ କିପରି ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ଦେଖିବା ବାକି ରହିଲା। ୨୦୧୮ ମସିହାରେ ଏହାର ପୂର୍ବତନ ଅଧ୍ୟକ୍ଷ କାର୍ଲୋସ ଘୋସନଙ୍କ ଗିରଫ ଏବଂ ବହିଷ୍କାର ପରେ କମ୍ପାନୀ ଏପର୍ଯ୍ୟନ୍ତ ନିଜର ପୂର୍ବ ଅବସ୍ଥାକୁ ଫେରିପାରିନାହିଁ।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ବର୍ତ୍ତମାନ ବଜାର ମୂଲ୍ୟ ୭.୩ ଟ୍ରିଲିୟନ୍ ୟେନ୍ ଥିବା ନେଇ ଆକଳନ କରାଯାଉଛି। ଯାହା ନିସାନର ମୂଲ୍ୟଠୁ ପ୍ରାୟ ୫ ଗୁଣା ଅଧିକ।
Comments are closed.