Latest Odisha News

BREAKING NEWS

ତିହାର ଜେଲରେ ଭିଆଇପି କଏଦୀଙ୍କୁ ଭିଆଇପି ସୁବିଧା ନେଇ ବିଜେପି, କଂଗ୍ରେସ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଜେଲରେ ସାଧାରଣ କଏଦୀ ଏବଂ ଭିଆଇପି କଏଦୀଙ୍କୁ ଭିନ୍ନ ଭିନ୍ନ ସୁବିଧା ମିଳୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେବେ ଦିଲ୍ଲୀର ତିହାର ଜେଲରେ ଭିଆଇପି ନେତାଙ୍କୁ ଯେଉଁଭଳି ସୁବିଧା ମିଳୁଛି ତାକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ଏବଂ ବିଜେପି ନେତାମାନେ ଆପ ସରକାର ଉପରେ ବର୍ଷିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି ।

କିଛି ଦିନ ହେଲା ତିହାର ଜେଲରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସେବା ମିଳୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଦୁଇ ପକ୍ଷ ଜୋରଦାର ଆଲୋଚନା କରୁଛନ୍ତି । ସେପଟେ କୋର୍ଟରେ ନିଜର 28 କିଲୋ ଓଜନ କମିଥିବା ମନ୍ତ୍ରୀ କହୁଥିବା ବେଳେ ଏବେ ତାଙ୍କ ଓଜନ 8 କିଲୋ ବଢ଼ିଥିବା ଜେଲ ପ୍ରଶାସନ ସୂତ୍ରରୁ ଜଣାପଡିଛି  । ସେହିପରି ସେ ଜେଲକୁ ଆସିବା ଦିନଠୁ ଚାଉଳ ଦାନାଟିଏ ସ୍ପର୍ଷ କରିନଥିବା କହିଥିବା ବେଳେ ଭିଡିଓରେ ନାନା ପ୍ରକାର ଖାଦ୍ୟ, ଫଳ , ସାଲାଡ ଖାଉଥିବା ଭିଜୁଆଲ ରହିଛି । ଦିଲ୍ଲୀ ମନ୍ତ୍ରୀଙ୍କ ଏପରି ଭିଡିଓକୁ ନେଇ ବିଜେପି ଏବଂ କଂଗ୍ରେସ ଦଳ  ଆପ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପ୍ରଥମେ ମସାଜକୁ ନେଇ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଆଗକୁ ଦିଲ୍ଲୀ ନଗର ନିଗମ ନିର୍ବାଚନ ଥିବାରୁ ବିଜେପି ଓ କଂଗ୍ରେସ  ଆପକୁ ବଦନାମ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉତ୍ତର ରଖିଥିଲେ ।  ସେ କହିଥିଲେ ଡାକ୍ତରଙ୍କ ଅନୁସାରେ ତାଙ୍କର ଫିଜିଓଥେରାପି କରାଯାଉଛି । ତେବେ ଭିଡିଓରେ ଦେଖାଯାଇଥିଲା ମସାଜ କରୁଥିବା ବ୍ୟକ୍ତି ହେଉଛନ୍ତି ଜଣେ ଦୁଷ୍କର୍ମ ଅଭିଯୁକ୍ତ । ମସାଜ ଭିଡିଓକୁ ନେଇ ଜେଲ ପ୍ରଶାସନ ସତର୍କ ହୋଇଥିବା ବେଳେ ଏବେ ପୁଣି  ଭିଆଇପି ଚିକିତ୍ସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା କି ଆପ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ଆପ ସରକାରକୁ ପ୍ରଶ୍ନ କରିଛି । କଂଗ୍ରେସ ଆପ ସରକାରକୁ ଠକ, ମିଛ ସରକାର କହିବା ସହ ମନ୍ତ୍ରୀକୁ 5ଷ୍ଟାର ହୋଟେଲ ଖାଦ୍ୟ କିପରି ମିଳୁଛି ବୋଲି ପ୍ରଶ୍ନ କରିଛି । ସବୁ କଏଦୀଙ୍କୁ ସମାନ ଭାବରେ ଦେଖିବାକୁ ନିୟମ ଥିବାବେଳେ ଜୈନଙ୍କୁ ଏତେ ସୁବିଧା କାହା ନିର୍ଦେଶରେ ଦିଆଯାଉଛି ବୋଲି କଂଗ୍ରେସ କହିଛି ।

ପୂର୍ବରୁ ଜୈନ୍ୟ କୋର୍ଟରେ ଅଭିଯୋଗ କରୁଥିଲେ ତାଙ୍କୁ  ଜେଲ ପ୍ରଶାସନ ଖାଦ୍ୟ ଠିକ୍ ଭାବେ ଯୋଗାଇ ଦେଉନାହିଁ ।  କିନ୍ତୁ ତିହାର ଜେଲ ଭିତରେ ବାହାରୁଥିବା ଭିଡିଓ ଏହାର ବିପରୀତ କଥା କହୁଛି । କଂଗ୍ରେସ କହିଛି ଭିଡିଓରୁ ଯାହା ଜଣାପଡୁଛି କୋର୍ଟରେ ଜୈନ୍ୟ ମିଥ୍ୟା କହୁଛନ୍ତି । କୋର୍ଟଙ୍କ ପକ୍ଷରୁ କୁହାଯାଇଛି  ଜେଲ ମାନୁଆଲ ଅନୁସାରେ ଜୈନ୍ୟଙ୍କୁ ଖାଦ୍ୟ ଦିଆଯାଉ ।  ଭାଇରାଲ ହୋଇଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ କେବେ ଫଳ ଖାଉଥିବା ଦେଖାଯାଉଛି ତ କେବେ ଡ୍ରାଏ ଫ୍ରୁଟସ ଖାଉଛନ୍ତି  । ଏପରିକି ନାନା ପ୍ରକାର ଖାଦ୍ୟ ତାଙ୍କ ଆଗରେ ରଖୁଛନ୍ତି ଜଣେ ବ୍ୟକ୍ତି । ଖଟ ଉପରେ ଖାଦ୍ୟ ରଖି ସେ ଚୈାକିରେ ବସି ଖାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.