Latest Odisha News

ନୂଆ ଏସଡିସି ଘୋଷଣା ଖାଲି ପ୍ରହେଳିକା; ନିର୍ବାଚନ ସରିଗଲେ ସବୁ ଭୁଲିଯିବେ ସରକାର

ଭୁବନେଶ୍ୱର: ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛି ବିଜେଡି ସରକାର । ବିଶେଷ କରି ଅନୁସୁଚିତ ଜାତି ଓ ଜନଜାତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଉଛି । ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବିଜେଡି ସରକାରର  ଏମିତି ଏକ ପ୍ରହେଳିକା  । ମୁଖ୍ୟମନ୍ତ୍ରୀ  ଆଉ ୧୪ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଘୋଷଣାକୁ ସମାଲୋଚନା କରି ଏମିତି କହିଛନ୍ତି  ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।

 ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ତଥା ଛୋଟ ବଡ଼ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଥିଲେ । ଏହି ନୂତନ ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମାଝି କହିଛନ୍ତି,   ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଗଠନ କରିଥିଲେ । ମାତ୍ର ନିର୍ବାଚନ ପରେ ଏହି ପରିଷଦ ସ୍ଥାଣୁ ପାଲଟି ଯାଇଥିଲା । ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଜାଣିଶୁଣି ଏହାକୁ ବନ୍ଦ କରିଦେଇଥିଲେ ।

ମିଛ ଓ ପ୍ରହେଳିକା ଜରିଆରେ ଦୀର୍ଘ ୨୩ ବର୍ଷ ଧରି ଓଡିଶାବାସୀଙ୍କୁ ନିରନ୍ତର ଭାବେ ପ୍ରତାରଣା କରିଆସୁଛି ବିଜେଡି ସରକାର । ନିର୍ବାଚନ ପାଖେଇ ଆସିଲେ ଶାସକ ବିଜୁ ଜନତା ଦଳକୁ ଅନୁସୁଚିତ ଜାତି ଓ ଜନଜାତିଙ୍କ କଥା ମନେ ପଡେ ଏବଂ ମିଛ ପ୍ରତିଶୃତି ଦେଇ ସରଳ ଲୋକଙ୍କୁ ବୋକା ବନାଇଥାନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ।

ସେ କହିଛନ୍ତି, ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ  । ରାଜ୍ୟରେ ୬୨ଟି ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସଂପ୍ରଦାୟର ଜନଜାତି ବସବାସ କରନ୍ତି । ଗତ କେନ୍ଦ୍ର ବଜେଟରେ ମୋଦି ସରକାର ପିଭିଟିଜି ସଂପ୍ରଦାୟର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥକ ଅନୁଦାନ ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ସଠିକ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି ।

ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ କ୍ଷମତା ନ୍ୟସ୍ତ କରିଛନ୍ତି । ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ ହାତକୁ ନେଉଛନ୍ତି  । ଏହା ଦ୍ୱାରା ଜନଜାତି ବର୍ଗ ଜଙ୍ଗଲ ଅଧିକାର ଆଇନରୁ ବଂଚିତ ହେଉଛନ୍ତି ।

ଜନଜାତିଙ୍କୁ ତାଙ୍କ ନ୍ୟାର୍ଯ୍ୟ ଜଙ୍ଗଲ ଜମି ଅଧିକାରରୁ ବଂଚିତ ରଖୁଥିବାବେଳେ ସରକାରୀ ଜମି ହଡପକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ  । ଅନ୍ୟ ପଟେ ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ କରୁଛି । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରାଯାଇନାହିଁ । ଜନଜାତିଙ୍କ ଆର୍ଥିକ ବିକାଶ ପାଇଁ ୨୦୧୮ ମସିହାରୁ ମୋଦି ସରକାର ବନଧନ ବିକାଶ ଯୋଜନା ଲାଗୁ କରି ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିବାବେଳେ ବିଜେଡି ସରକାର ବାଧକ ସାଜିଛନ୍ତି । ରାଜ୍ୟରେ କେତେ ବନଧନ କେନ୍ଦ୍ର ଖୋଲାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଜନଜାତି ବର୍ଗକୁ ଶାସକ ବିଜେଡି କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିଚାଲିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଛି ସେମାନେ ହିଂସା ଏବଂ ଦ୍ୱେଷର ଶିକାର ହେଉଛନ୍ତି । ଓଡ଼ିଶାରେ ମାଗଣା ଆଇନ ସହାୟତା ସୁବିଧା ପାଉଥିବା ଜନଜାତି ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଉନାହିଁ । ଏହି କାରଣରୁ ଜନଜାତି ବର୍ଗ ଆଜି ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ସଠିକ ପ୍ରଚାର ପ୍ରସାର ଅଭାବରୁ ୨୧ଟି ଜନଜାତି ଭାଷା ପ୍ରାୟ ବିଲୁପ୍ତ । ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ ପାଂଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍ କରିବା କାରଣରୁ ବିକାଶ ବାଧାପ୍ରାପ୍ତ ହେଇଛି । ଜନଜାତି ବର୍ଗର ବିକାଶ ପାଇଁ ରହିଥିବା ଆଇଟିଡିଏ ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି  ।  ବିଜେଡି ସରକାର ଜନଜାତିଙ୍କ ପ୍ରତି ଏଭଳି ହେୟଜ୍ଞାନ ମାନସିକତାରୁ ନିବୃତ ରୁହନ୍ତୁ । ନଚେତ୍ ଜନଜାତିଙ୍କ ଆକ୍ରୋଶରେ ବିଜେଡି ସରକାର ନିଶ୍ଚିହ୍ନ ହୋଇଯିବେ ବୋଲି ଶ୍ରୀ ମାଝୀ କହିଛନ୍ତି ।

Comments are closed.