Latest Odisha News

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଏହି ଦଳ।

ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ କାର୍ଯ୍ୟରତ ମହିଳା ହୋମଗାର୍ଡ ସୈରୀନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଦୁଇଟି ଗୋଡ ହରାଇବା ଭଳି ଅଭାବନୀୟ ଘଟଣାରେ ଦୋଷୀ ଡିଆଇଜିଙ୍କ ପରିବାର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଆଇନ ଅନୁସାରେ ଦଣ୍ଡବିଧାନ ହେବା ଆବଶ୍ୟକ। ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ନଦେଇ ଡିଆଇଜିଙ୍କୁ ବଦଳି କରି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସରକାର, ପୋଲିସ, ପ୍ରଶାସନ ମିଳିମିଶି ଡିଆଇଜି ଦମ୍ପତିଙ୍କୁ ଖସାଇଦେବା ପାଇଁ ଲାଗିପଡିଛନ୍ତି।

ଓଡିଶାବାସୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଡିଆଇଜି ପୋଲିସ ଅଧିକାରୀ ଯଦି ଆଇନ ବିରୋଧୀ କାର୍ଯ୍ୟ କରିବେ, ତାହେଲେ ସାଧାରଣ ଜନତା କାହାକୁ ବିଶ୍ୱାସ କରିବେ ! ଏଭଳି ଅଭାବନୀୟ ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଜେପି ନିବେଦନ କରିଛି ବୋଲି ରାଜ୍ୟ ବିଜେପି ସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି। ଦେଶରେ ଗୋଟିଏ ଆଇନ ଓ ସମ୍ବିଧାନର ବ୍ୟବସ୍ଥା ରହିଛି ତାକୁ ପାଳନ କରାଯାଉ। ଘଟଣା ଘଟିବାର ୧୭ ଦିନ ପରେ ତଥ୍ୟ ସାମ୍ନାକୁ ଆସିବା ପରେ ‘ଆଇ ୱାସ୍‌’ କରିବାକୁ ଯାଇ ରାଜ୍ୟ ସରକାର ଡିଆଇଜିଙ୍କୁ ବଦଳି କରିଦେଇଛନ୍ତି ସତ, କିନ୍ତୁ ଏହା ପ୍ରକୃତ ଦଣ୍ଡ ନୁହେଁ।

ଡିଆଇଜି ଦମ୍ପତିଙ୍କ ବିରୁଦ୍ଧରେ ଆଇନଗତ ଏବଂ ଅପରାଧିକ ମାମଲା ଅନୁଯାୟୀ ଦଣ୍ଡବିଧାନ କରାଯାଉ। ଆଜିକୁ ପ୍ରାୟ ୧୮ଦିନ ହୋଇଗଲା କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌ରେ ହୋମଗାର୍ଡ ଶ୍ରୀମତୀ ସାହୁ ଚିକିତ୍ସା ହେଉଛନ୍ତି। ତେଣୁ ଚିକିତ୍ସା ଏବଂ କ୍ଷତିପୂରଣ ଦିଆଯାଉ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରଶ୍ମୀରେଖା ଦାଶ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.