Latest Odisha News

BREAKING NEWS

କୋଟିଆର ସୀମା ନିର୍ଦ୍ଧାରଣ ଦାବି କଲା ବିଜେପି, ସମାଧାନ ପାଇଁ କେନ୍ଦ୍ରକୁ ଆହ୍ୱାନ କଲା ବିଜେଡି

ଭୁବନେଶ୍ୱର: କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। ଆଉ ଏଠିକାର ଲୋକଙ୍କୁ ନିଜର ହକ ମିଳୁ। ଏହା ଦାବି କରିଛି ବିଜେପି। ସୋମବାର କୋଟିଆ ଗସ୍ତରେ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଆନ୍ଧ୍ର ସରକାରର ଯୋଜନା ଘରେ ଘରେ ବାଣ୍ଟିବାକୁ ପ୍ରୟାସ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପିତୃତୁଲ୍ୟ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ଭିତରେ କୋଟିଆ ବିବାଦ ସମାଧାନ ପାଇଁ ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରନ୍ତୁ ବୋଲି ବିଜେପି ଦାବି କରିଛି।

ବଳପୂର୍ବକ ଭାବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶ ସହିତ ଏଭଳି ବୟାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । କାରଣ ମାସକ ତଳେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇଥିଲେ ଏହି ସମୟରେ ଧର୍ମେନ୍ଦ୍ରଙ୍କ ଆନ୍ଧ୍ର ଗୋବ୍ୟାକ ନାରାକୁ ନେଇ ଆପତ୍ତି ଉଠାଇଥିଲା ପଡ଼ୋଶୀ। ଯାହାକୁ ନେଇ ଓଡିଶାର ଶାସକ ଦଳ ମଧ୍ୟ ସୁହାଇଲା ଭଳି ବିବୃତ୍ତି ରଖିଥିଲା।

ଆଉ ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଦୋରାଙ୍କ ଗସ୍ତ ପୂର୍ବରୁ କିନ୍ତୁ ରାସ୍ତାରେ କାଦୁଅ ପକାଇ ଅବରୋଧ କରାଯାଇଥିଲା। ତେବେ ଏହା ଆନ୍ଧ୍ରକୁ ଚେକମେଟ୍ ଦେବା ପାଇଁ ଓଡିଶାର ଉଦ୍ୟମ ନା ପଡୋଶୀ ରାଜ୍ୟ ଓଡିଶା ଅଧିକାରୀଙ୍କୁ ଘଟଣା ସ୍ଥଳରେ ନପହଞ୍ଚିବାକୁ ଦେବା ପାଇଁ ଉଦ୍ଯମ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ଆନ୍ଧ୍ର ଭିତରେ ବିବାଦ ବହୁତ୍ ପୁରୁଣା। ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ ବି ଚୁପ୍ ବସିଥିଲେ ରାଜ୍ୟ ସରକାର । କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। କୋଟିଆ ଲୋକ କେଉଁଠି ଭୋଟ ଦେବେ ତାକୁ ନେଇ ସନ୍ଦେହ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆନ୍ଧ୍ର ସରକାରଙ୍କ ଲୋଗୋ ଲାଗିଥିଲା। ସୀମାନ୍ତରେ ଅନେକ ଗାଁ ଅଛି ସେମାନେ ସନ୍ଦେହ ଘେରରେ ରହିଛନ୍ତି। କେନ୍ଦ୍ରକୁ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ କହିଛନ୍ତି ହେଲେ ଏହା କେବଳ କଥାରେ ନା ସରକାରୀ ଭାବେ ଜଣାଇଛନ୍ତି ବୋଲି ବିଜେପି ପଚାରିଛି।

ବିଜେଡିର ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି, କୋଟିଆ ସମ୍ପୂର୍ଣ ଭାବେ ଓଡ଼ିଶାର। କୋଟିଆ ଲୋକଙ୍କୁ ପ୍ରଲୋଭିତ କରି ନିଜ ଅଞ୍ଚଳ କହିବା କେଉଁ ସଙ୍ଘୀୟ ବ୍ୟବସ୍ଥା ବୋଲି କହିଛନ୍ତି ବିଜେଡି ବିଧାୟକ। ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଆହ୍ୱାନ କରି କହିଛନ୍ତି, ବିବାଦର ସମାଧାନ ପାଇଁ କେନ୍ଦ୍ର ହସ୍ତକ୍ଷେପ କରିବା ଆବଶ୍ଯକ ରହିଛି। ରାଜ୍ୟ ରାଜ୍ୟ ଭିତରେ ଶାନ୍ତି ରହିବାକୁ କେନ୍ଦ୍ର ହସ୍ତକ୍ଷେପ ଆବଶ୍ୟକ। ଉଲ୍ଲେଖଯୋାଗ୍ୟ, ଗତକାଲି ଓଡ଼ିଶା ଓ ଆନ୍ଧ୍ର ଭାଇ ବୋଲି କହିଥିଲେ ରାଜନ ଦୋରା।

Comments are closed.