Latest Odisha News

BREAKING NEWS

କାମ ଦେବ କି ବିଜେପିର ଗୌହାଟୀ ଗଣିତ?

ଭୁବନେଶ୍ୱର: ବଦଳୁଛି ବିଜେପିର ସାଙ୍ଗଠନିକ କଳେବର। ଦଳର ଜାତୀୟ ସଂଗଠନ ସହ ରାଜ୍ୟ ସଂଗଠନ ଗୁଡିକୁ ନୂଆ ରୂପ ଦେବା ପାଇଁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି।

ଏଥିସହିତ ଦେଶର ବିଭିନ୍ନ ଅଞ୍ଚଳକୁ ଜୋନରେ ଭାଗ କରି ଦଳ ବିଭିନ୍ନ ରାଜ୍ୟର ନେତାଙ୍କ ସହ ବୈଠକ ଆରମ୍ଭ କରିଛି। ଏହି ଅବସରରେ ପୂର୍ବାଞ୍ଚଳ ଓ ଉତ୍ତରପୂର୍ବ ରାଜ୍ୟର ବିଜେପି ନେତାଙ୍କ ବୈଠକ ଗୌହାଟୀରେ ଆୟୋଜିତ ହୋଇଛି।

ଏସବୁ ରାଜ୍ୟର ବରିଷ୍ଠ ନେତାମାନେ ଗୌହାଟୀରେ ଏକାଠି ହୋଇଛନ୍ତି। ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ପ୍ରମୁଖ ରାଜ୍ୟର ନେତାଙ୍କୁ ନିର୍ବାଚନ ବିଜୟ ମନ୍ତ୍ର ଦିଆଯାଇଛି। ସେପଟେ ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲାଣ୍ଡ ଆଦି ରାଜ୍ୟର ନେତା ବୈଠକରେ ସାମିଲ ହୋଇଛନ୍ତି।

ବୈଠକରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ବି ଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ତଥା ଦଳର ବହୁ ସାଂସଦ ଓ ବିଧାୟକ ସାମିଲ ହୋଇଛନ୍ତି।

ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ଚର୍ଚ୍ଚା ହୋଇଥିବା କୁହାଯାଇଛି। ସେପଟେ ସାତ ତାରିଖ ଅର୍ଥାତ ଆସନ୍ତାକାଲି ପଶ୍ଚିମ ଓ ଉତ୍ତର ଭାରତର ରାଜ୍ୟର ନେତାଙ୍କ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ।

ଆଠ ତାରିଖରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟର ବୈଠକ ଅନୁଷ୍ଠିତ ହେବ। ଯାହାକୁ ନେଇ ବିଜେପି ଚଳଚଞ୍ଚଳ ହୋଇଉଠିଛି। ୨୦୨୪ ରେ କ୍ଷମତାକୁ ଫେରିବା ପାଇଁ ବିଜେପି ଅଧିକ ଲୋକସଭା ସିଟ ଉପରେ ଟାର୍ଗେଟ ରଖିଛି।

ତେଣୁ ତିନି ଦିନରେ ବିଭିନ୍ନ ରାଜ୍ୟର ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବେଶ ଗୁରୁତ୍ୱ ରଖୁଛି। ଏପରିକି କିଛି ଦିନ ଧରି କେନ୍ଦ୍ର ମନ୍ତ୍ରୀ ମାନଙ୍କଠୁ ଆରମ୍ଭ କରି ଦଳର ବରିଷ୍ଠ ନେତାଙ୍କୁ ଭେଟୁଛନ୍ତି ଶୀର୍ଷ ନେତୃତ୍ୱ।

ଏହି ଅବସରରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କିଛି କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସହ ଲଗାତର ଆଲୋଚନା କରିଛନ୍ତି। ଯାହାକୁ ନେଇ ଦଳରେ ବଡ଼ ସାଙ୍ଗଠନିକ ଅଦଳବଦଳ ଆଶା କରାଯାଉଛି।

ଏପରିକି ମଧ୍ୟପ୍ରଦେଶ ଓ ରାଜସ୍ଥାନର ବହୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ବିଜେପିର ଶୀର୍ଷ ନେତୃତ୍ୱ ଭେଟିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ପ୍ରହ୍ଲାଦ ପଟେଲ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଉଭୟ ମଧ୍ୟପ୍ରଦେଶର।

ତେଣୁ ଆଗକୁ ମଧ୍ୟପ୍ରଦେଶ ନିର୍ବାଚନ ଥିବାରୁ ଉଭୟଙ୍କ ଭେଟକୁ ନେଇ ଚର୍ଚ୍ଚା ହେଉଛି। ଏପରିକି ଅନ୍ୟ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଜୁନ ମେଘୱାଲ, କିରେନ ରିଯିଜୁ ପ୍ରମୁଖ ଭେଟିଛନ୍ତି।

ତେଣୁ ଖୁବ ଶୀଘ୍ର କେନ୍ଦ୍ର ଓ ରାଜ୍ୟସ୍ତରରେ ବିଜେପିର ବଡ଼ ଧରଣର ଅଦଲବଦଳ ହେବ ବୋଲି କୁହାଯାଉଛି। କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଦଳୀୟ ସଂଗଠନରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି।

ପୂର୍ବରୁ ଚାରୋଟି ରାଜ୍ୟରେ ବିଜେପି ନୂଆ ସଭାପତି ନିଯୁକ୍ତ କରିଛି। ସେପଟେ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇସାରିଛନ୍ତି।

ତେଣୁ ଜାତୀୟ ସ୍ତର ସହ ବିଭିନ୍ନ ଆଞ୍ଚଳିକ ସ୍ତରରେ ଭିନ୍ନ ଭିନ୍ନ ରଣନୀତି ନେଇ ବିଜେପି ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି।

Comments are closed.