ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା। ମାତ୍ର ଯୋଜନା ଆରମ୍ଭରୁ ହିଁ ଲୋଗକୁ ନେଇ ଛିଡା ହୋଇଛି ଅନେକ ବିବାଦ। ଏହି ନୂତନ ଯୋଜନାର ଲୋଗ ଭାବେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରାଯାଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଲୋଗକୁ ନେଇ ଆପତ୍ତି ଉଠାଇ କହିଛନ୍ତି ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି। ସେପଟେ ଏହାକୁ କାଉଣ୍ଟର ଆଟାକ କରିଛି ବିଜେଡି।
ବିଜେଡି କହିବା ଅନୁସାରେ ପଞ୍ଚାୟତ ବିକାଶର ବାଟ ଓଗାଳୁଛି ବିଜେପି। ଏଭଳି ବିରୋଧର ଜବାବ ଦେବେ ଓଡିଶାବାସୀ। ଶଙ୍ଖ-ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ ‘ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖ କ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ।
ଡକ୍ଟର ସାହୁ କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା-ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି ? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।
ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି। ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନ ବିରୋଧୀ କାର୍ଯ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନ ବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇ ଗଲେଣି ବୋଲି ଡକ୍ଟର ସାହୁ କହିଛନ୍ତି।
Comments are closed.