Latest Odisha News

BREAKING NEWS

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସରେ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ସେମାନେ ବ୍ୟଗ୍ର ଓ ବ୍ୟସ୍ତ  । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା କହିଛନ୍ତି , ସାରା ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଭାଇରସ୍ ସଂକ୍ରମଣ କୋକୁଆଭୟ ସୃଷ୍ଟି କରିଛି । କିନ୍ତୁ ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ନାୟକ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ରୋକିବା ବା ସେ ସମସ୍ୟାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଅନ୍ୟପକ୍ଷେ ସେ  ନିଜେ ମୌଜ ମଜଲିସ୍ କରିବାରେ ବ୍ୟସ୍ତ ବୋଲି ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ପଣ୍ଡା।  ସୁନ୍ଦରଗଡ ରୋଗରେ ଥରୁଥିବାବେଳେ  ମନ୍ତ୍ରୀ କେତେବେଳେ “ଡନ୍‌” ଗୀତ ଗାଇ ନାଚୁଛନ୍ତି ତ କେତେବେଳେ “କୱାଲୀ” ଉପରେ ଟଙ୍କା ଉଡାଇଛନ୍ତି  ।  ଆଉ କେତେବେଳେ ଡାକ୍ତର ଡିଗ୍ରୀ ସାର୍ଟିଫିକେଟ୍ ନଥିଲେ ମଧ୍ୟ ଲୋକଙ୍କ ଠାରୁ ସିରିଂଚ୍‌ରେ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ଏକ କେନ୍ଦ୍ରୀୟ ଡାକ୍ତରୀ ଟିମ୍ ସୁନ୍ଦରଗଡ ଜିଲ୍ଲା ଆସି ସ୍କ୍ରବ୍ ଟାଇଫସ୍‌ର ସ୍ଥିତି ଅନୁଧ୍ୟାନ କରି କିପରି ଏ ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏତେ ବଡ ସ୍କ୍ରବ୍ ଟାଇଫସ୍ ପରିସ୍ଥିତିକୁ ଆୟତ କରିବା ପାଇଁ ନା ରାଜ୍ୟ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଇଛି ନା ଜିଲ୍ଲା ଶ୍ରମ ମନ୍ତ୍ରୀଙ୍କ ତରଫରୁ କିଛି ଚେଷ୍ଟା କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ରାଜ୍ୟରେ ବାବୁ ମାନଙ୍କ ଶାସନ ଚାଲିଛି । ତେଣୁ ବିଜେଡି ସରକାରରେ ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି ଦାୟିତ୍ୱ ନଥିବାରୁ ସେମାନେ ମୌଜ ମଜ୍‌ଲିସ୍ ଓ ମାଇଣ୍ଡଫ୍ରେସ୍ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ।  ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସେ ଆହୁରି କହିଛନ୍ତି,  କେଉଁ ବିଜେଡି ନେତା ମହିଳାଙ୍କୁ ନେଇ ମାଇଣ୍ଡଫ୍ରେସ୍ ପାଇଁ ଭାଇଜାଗ୍ ହୋଟେଲକୁ ଗଲେଣି, କିଏ ଦୁଇ ଜଣଙ୍କୁ ବାହା ହେବା ପାଇଁ ଦୁଇଟି ମ୍ୟାରେଜ୍ କୋର୍ଟରେ ଦରଖାସ୍ତ କଲେଣି ।  କିଏ ମହିଳା ମାନଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱର ଡକାଇଲେଣି ପୁଣି କିଏ  କିଏ ସାଂସଦ ହାୱଲା ଟଙ୍କା କାରବାରରେ ସଂପୃକ୍ତ ହୋଇ ସାଂସଦ ମହୁଆ ମିତ୍ରଙ୍କ ଠାରୁ ପ୍ରଚୁର ଅର୍ଥ ସଂଗ୍ରହ କଲେଣି । ଏହା ହେଉଛି ୨୩ବର୍ଷର ଗର୍ବ ଓ ଅହଂକାରରେ ଭରପୂର ବିଜେଡି ନେତାମାନଙ୍କର ବାସ୍ତବ ଚରିତ୍ର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ତେଣୁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମହିଳାମାନଙ୍କୁ ସମ୍ମାନ ଦେବା ସହିତ ଓଡିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଏ ସବୁ କୁତ୍ସିତ କାରନାମାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Comments are closed.