Latest Odisha News

ରାଜ୍ୟ ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟର ପର୍ଦ୍ଦାଫାଶ କରିଛି ସିଏଜି ରିପୋର୍ଟ-ବିଜେପି

 

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟର ପର୍ଦ୍ଦାଫାଶ କରିଛି ସିଏଜି ରିପୋର୍ଟ ।  ଜନକଲ୍ୟାଣ ଯୋଜନାର ଅଢ଼ୁଆଳରେ   ରାଜ୍ୟ ସରକାରଙ୍କ କଳା କାରନାମାକୁ ସାମ୍ନାକୁ ଆଣିଛି ଏହି  ରିପୋର୍ଟ। ଏହା କହିଛନ୍ତି  ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା  ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡ କହିଛନ୍ତି, ସରକାରଙ୍କ ବିଭିନ୍ନ ଉଦ୍ଦେଶ୍ୟ ସକାଶେ ଅନୁମୋଦିତ ଅର୍ଥ ଖର୍ଚ୍ଚ ନହୋଇପାରିଲେ ସେ ଅର୍ଥକୁ ପ୍ରତ୍ୟାର୍ପଣ କରାଯାଇଥାଏ । ୨୦୨୧-୨୨ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇପାରିନଥିବା  ୩୭,୭୦୬କୋଟି ଟଙ୍କାରୁ ପ୍ରାୟ ୧୦୦କୋଟି ଟଙ୍କା ବର୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାର୍ପଣ କରାଯାଇ ନାହିଁ ।  ୩୫, ୬୦୦କୋଟି ଟଙ୍କା ବର୍ଷର ଶେଷ ଦିନ ମାର୍ଚ୍ଚ ୩୧ରେ ପ୍ରତ୍ୟାର୍ପଣ କରାଯାଇଛି ।  ବର୍ଷର ଅନ୍ତିମ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଜ ବ୍ୟୟ ଅଟକଳର ବାସ୍ତବଚିତ୍ର ସଂକ୍ରାନ୍ତରେ ସଚେତନ ନାହାନ୍ତି । ଅଥଚ   ୪ମାସର ତଥ୍ୟକୁ ନେଇ ଅତିରିକ୍ତ ବଜେଟ୍‌ର ସୁଆଙ୍ଗ କରୁଛନ୍ତି ରାଜ୍ୟ ସରକାର ।

ସେହିପରି ୨୦୧୩-୧୪ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମଞ୍ଜୁରୀ ହୋଇଥିବା ବ୍ୟୟ ଅଟକଳରୁ ୨୬୩କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ଦୀର୍ଘ ୭ବର୍ଷର ଏହି ବେଆଇନ ଖର୍ଚ୍ଚକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ନିୟମିତ କରାଯାଇପାରି ନାହିଁ । ଏହା ଭାରତୀୟ ସମ୍ବିଧାନର ଧାରା ୨୦୫କୁ ଖୋଲା ଉଲଘଂନ କରୁଛି ବୋଲି ସିଏଜି ମତ ପ୍ରକାଶ କରିଛନ୍ତି । ୨୦୨୧-୨୨ ଆାର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଦାନ କରିଥିବା ୨୫ହଜାର ୯୩୧କୋଟି ଟଙ୍କାର ୭୦ପ୍ରତିଶତ ବା ୧୮,୧୦୪କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଏହି ଅର୍ଥ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ସିଏଜି ସନ୍ଦେହ ପ୍ରକଟ କରିଛନ୍ତି । ଏହିସବୁ କାରଣରୁ ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିବାକୁ ପଛଘୁଂଚା ଦେଇନାହାନ୍ତି ବୋଲି କହିଚନ୍ତି ଶ୍ରୀ ପଣ୍ଡା ।

ରାଜ୍ୟ ସରକାରଙ୍କ ୮୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩ବର୍ଷ ଧରି ୩୯ଟିର ଆୟ ବ୍ୟୟ ହିସାବ ମିଳୁନାହିଁ । ଫଳରେ ସରକାରୀ ସଂସ୍ଥାମାନେ କମ୍ପାନୀ ଆକ୍ଟ ୨୦୧୩ର ଖୋଲା ଉଲଘଂନ କରୁଛନ୍ତି, ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।    ୭୦ହଜାର ୩୭ଜଣ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପାଇଁ ବର୍ଷେରୁ ସାଢ଼େ ୩ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏହି ସ୍କଲାରସିପ୍ ପାଇଁ ୧ଲକ୍ଷ ୨୮,୧୦୪ଜଣ ନକଲି ଛାତ୍ର ଆବେଦନ କରିପାରିଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଏହି ବୃତି ହାସଲ ମଧ୍ୟ କରିଛନ୍ତି । ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨ପ୍ରତିଶତ, ବୈଷୟିକ ଓ ବ୍ୟବସାୟୀକ ଶିକ୍ଷାନୁଷ୍ଠାରେ ନାମ ଲେଖାଇଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୩ପ୍ରତିଶତ, ଉପାଧ୍ୟୁତର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮ପ୍ରତିଶତ ଏହି ବୃତି ପାଇବାରୁ ବଂଚିତ ହୋଇଛନ୍ତି । ଏଥିରୁ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେତିକି ନୁହେଁ, ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.