ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା। ଏହା କହିଛି ବିଜେପି। ଯେଉଁ ବିଦ୍ୟୁତ ବିଭ୍ରାଟ ହେଲା ତାହା ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନକୁ ପ୍ରମାଣିତ କରୁଛି ବୋଲି ବିଜେପି କହିଛି।
ଏହି ବ୍ୟବସ୍ଥାର ବିଫଳତା ପାଇଁ ଯିଏ ଦାୟିତ୍ୱରେ ଥିଲେ ବା ଅଧିକାରୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ନୁହେଁ କି ବୋଲି ବିଜେପି ପ୍ରଶ୍ନ କରିଛି। ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ହାଲକାଭାବେ ଗ୍ରହଣ କରି ଦେଶର ପ୍ରଥମ ନାଗରିକଙ୍କୁ ଅସମ୍ମାନିତ କରାଯାଇଛି । ଯଦ୍ୱାରା ଆଜି ଦେଶରେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡୁଛି। ଏନେଇ ରାଜ୍ୟ ସରକାର କ୍ଷମା ମାଗିବା ଆବଶ୍ୟକ ବୋଲି ବିଜେପି ନେତା ଦିଲୀପ ମଲ୍ଲିକ କହିଛନ୍ତି।
ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ମିନିଟ୍ ଟୁ ମିନିଟର ପ୍ରୋଗ୍ରାମର ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଥିବା ବେଳେ ଏଥିପ୍ରତି ରାଜ୍ୟ ସରକାର ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ବିଜେପି କହିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ଝିଅ ଭାବି ରାଜ୍ୟ ସରକାର ରହିଯାଇଛନ୍ତି ବୋଲି ମନେ ହେଉଛି । ଏପରିକି ବିଜୁ ଜନତା ଦଳର କିଛି ପ୍ରମୁଖ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରୋକ୍ଷରେ ଓ ପ୍ରତକ୍ଷ୍ୟରେ ରାଜ୍ୟ ସରକାର ଓ ପ୍ରଶାସନ କଳ ଅଂଟା ଭିଡି ଦେଉଥିବାବେଳେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦିଲ୍ଲୀପ ମଲ୍ଲିକ କହିଛନ୍ତି।
ରାଜ୍ୟରେ ବ୍ୟାପକ ବିଦ୍ୟୁତକାଟ୍ ହେଉଥିବାର ଅଭିଯୋଗ ଆସୁଥିବା ବେଳେ ନିକଟରେ ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଏହା ପାଓ୍ୱାର ଟ୍ରିପ୍।
Comments are closed.