ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତି ଏବେ ଉଠୁଛି ପଡୁଛି । ନେତାଙ୍କ ବୟାନ ଅଧିକ ରାଜନୀତିକୁ ସରଗରମ କରାଉଛି। ଏହି କ୍ରମରେ ଜଣେ ବିଜେପି ନେତାଙ୍କ ବୟାନ ଏବେ ଦିଲ୍ଲୀ ରାଜନୀତିକୁ ଆହୁରି ହଲଚଲ କରାଇଛି। ବିଜେପି ନେତା ରମେଶ ବିଧୁଡ଼ି ପ୍ରିୟାଙ୍କା ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ଏବଂ ସମାଲୋଚନା ।
ରବିବାର ଦିଲ୍ଲୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି କାଲକାଜୀ ପ୍ରାର୍ଥୀ ରମେଶ ବିଧୁରୀ କହିଥିଲେ “ ସମସ୍ତେ ଜାଣନ୍ତି ଯେ ଦିନେ ଲାଲୁ ଯାଦବ କହିଥିଲେ ଯେ ସେ ହେମାମାଳିନୀଙ୍କ ପରି ରାସ୍ତା ଚିକ୍କଣ କରିବେ। ହେଲେ ସେ ତାଙ୍କ ପ୍ରତିଶ୍ରୁତି ପୂରା କରିପାରିଲେ ନାହିଁ। ମୁଁ କିନ୍ତୁ ଆପଣଙ୍କୁ କଥା ଦେଉଛି ଯେ ଯେମିତି ଆମେ ଓଖଲା ଓ ସଂଗମ ବିହାରର ରାସ୍ତା ବଦଳେଇ ଦେଲୁ ସେମିତି ଆମେ ସୁନିଶ୍ଚିତ କରୁଛି ଯେ କାଲ୍କାଜୀର ପ୍ରତ୍ୟୋକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ କରିଦେବୁ।”
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ବିଧୁଡ଼ିଙ୍କୁ କାଲକାଜି ଆସନରୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଏପ୍ରକାର ମନ୍ତବ୍ୟକୁ ଅନେକ ନାପସନ୍ଦ କରିଛନ୍ତି। ଶନିବାର ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରମେଶ ବିଧୁଡ଼ିଙ୍କ ନାମ ପ୍ରକାଶ ପାଇଥିଲା । ଏହାପୂର୍ବରୁ ମଧ୍ୟ ସେ ପ୍ରକାର ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି । ଗତବର୍ଷ ସଂସଦରେ ସେତେବେଳର ବିଏସପି ସାଂସଦ ଦାନିସ୍ ଅଲ୍ଲୀଙ୍କ ବିରୋଧରେ ଅଶ୍ଳୀଳ ଏବଂ ଜାତିଆଣ ମନ୍ତବ୍ୟ ଦେଇଥିଲେ । ରମେଶ ବିଧୁଡ଼ିକୁ ନେଇ ସେତେବେଳେ ପ୍ରବଳ ତମ୍ବିତୋଫାନ ହୋଇଥିଲା ।