ନିଜ ଦଳର ମହିଳାଙ୍କ ପ୍ରତି ବିଜେଡି ନେତାଙ୍କ ମାଇଣ୍ଡଫ୍ରେସକୁ ନେଇ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଲେ ଭଲ ହୁଅନ୍ତା -ବିଜେପି
ଭୁବନେଶ୍ୱର: ‘ବିଜେଡି ନେତ୍ରୀ ଜାଣି ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ଏହା ଓଡ଼ିଶାରେ ସାଢେ ଚାରି କୋଟି ଲୋକମାନେ ଜାଣିଛନ୍ତି । ଏଥିପାଇଁ ବିଜେଡିର ସାର୍ଟିଫିକେଟ୍ ଦେବା ଦରକାର ନାହିଁ । ଏମିତି କହି ବିଜେଡି ଉପରେ ବର୍ଷିଛି ବିଜେପି ।
ବିଜେପି ପ୍ରବକ୍ତା ସୋନାଲି ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ଶନିବାର କହିଛନ୍ତି, ମିଶନ ଶକ୍ତି ନାଁରେ ବିଜେଡି ମହିଳାଙ୍କୁ ସ୍କୁଟି ଦେଇ ଯେଉଁ ଭୋଟ୍ ରାଜନୀତି କରୁଛି, ତାହା ସମସ୍ତଙ୍କୁ ଜଣା । ମୋଦିଜୀ ଦେଉଥିବା ଅର୍ଥର ବାଟମାରଣା କରି ଓଡ଼ିଶା ସରକାର ଭୋଟ୍ ରାଜନୀତିର ଯୋଜନା ଆପଣାଇଛନ୍ତି । ନିଜ ବିଜେଡି ଦଳରେ ମହିଳାମାନେ କିପରି ଅତ୍ୟାଚାର ହେଉଛନ୍ତି ଏବଂ ତାଙ୍କର ନେତାମାନେ କିପରି ମାଇଣ୍ଡଫ୍ରେସ କରିବା ପାଇଁ ଡାକୁଛନ୍ତି, ଏହା ଉପରେ ତାଙ୍କ ମୁଖିଆ ନବୀନ ପଟ୍ଟନାୟକ କହିଥିଲେ ଭଲ ହୁଅନ୍ତା ।
ବିଜେଡି ପ୍ରବକ୍ତା ଇପସିତା ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେପି ପ୍ରବକ୍ତା ସୋନାଲି ସାହୁ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆଜି ଯଦି ଏନଏଚ- ୫୫ର ୮୦ ପ୍ରତିଶତ କାମ ସରିଛି ତେବେ ତାହା କେବଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମ କାରଣରୁ ସମ୍ଭବ ହୋଇପାରିଛି । କିନ୍ତୁ ବିଜେଡି ମାନବିକତା ଭୁଲି ଯାଇଛି । ଆଜି ଦେଶରେ ଉତ୍ତର ପ୍ରଦେଶ ପରେ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ପୁରୀ-ଭୁବନେଶ୍ୱରରୁ ସମ୍ବଲପୁର ଦେଇ ଯାତାୟତ କରୁଛି । ଏହା କେବଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ସମ୍ଭବ ହୋଇଛି । ବିଜେଡିର ଯଦି ଟିକେ ସୌଜନ୍ୟତା ଥାଆନ୍ତା ତେବେ ସେ ଉଭୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥାନ୍ତେ । ମାତ୍ର ଏପରି ନକରି ସେମାନେ ପାଗଳର ପ୍ରଳାପ କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିସ୍ତୁତ ଭାବରେ ଆବାସ ଯୋଜନାରେ ଗରିବଙ୍କୁ ଘର ନ ଦେବା ପାଇଁ ବିଜେଡି କିପରି ଷଡଯନ୍ତ୍ର କରିଥିଲା ସେ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ସତ କଥା କହିଥିବା କାରଣରୁ ଚୋର ମୁହଁ ଟାଣ ପରି ବିଜେଡି ନେତ୍ରୀ ଏପରି ଜବାବ୍ ଦେଉଛନ୍ତି ବୋଲି ସେ କହିଛନ୍ତି । ଯଦି ଜନସଭାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରଶ୍ନ କରିବା ଓ ମୋଦି ଦେଉଥିବା ଅର୍ଥର ହିସାବ ଦେବାକୁ ବିଜେଡି ବିଭ୍ରାନ୍ତିକର ତଥ୍ୟ ଭାବୁଛି ତେବେ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେପି ପ୍ରବକ୍ତା କହିଛନ୍ତି ।
Comments are closed.