ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ । ବିଜେପି ସୁନାମୀ, ସିନ୍ଦେ ଓ ଅଜିତଙ୍କ ପାଓ୍ବାର ଶୋ’ । ନା ଶାସନ ବିରୋଧୀ ଲହର କାମ ଦେଲା ନା ଅସଲି, ନକଲି ଓ ପ୍ରତାରଣା ପଲିଟିକ୍ସ । ବିଜେପି ସହ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ମନଖୋଲି ସମର୍ଥନ ଜଣାଇଛନ୍ତି ମହାରାଷ୍ଟ୍ର ଜନତା । ସେପଟେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିଛି ଜୋରଦାର ଝଟକା । ଲୋକସଭାର ସଫଳତାକୁ ରିପିଟ୍ କରିବାରେ ବିଫଳ ହୋଇଛି ମେଣ୍ଟ । ପାଓ୍ବାର ଓ ଠାକରେଙ୍କଠାରୁ ଜନତା ମୁହଁ ଫେରାଇଛନ୍ତି ତ ବଡ ସୁଯୋଗ ହରାଇଛନ୍ତି ରାହୁଲ ଗାନ୍ଧୀ ।
ଲାଡଲି ବହନ ଯୋଜନା ଗେମଚେଞ୍ଜର
ମହାରାଷ୍ଟ୍ରରେ ବିଜେପିର ବଡ ବିଜୟ ପଛରେ ଲାଡଲି ବହନ ଯୋଜନା । ମହାରାଷ୍ଟ୍ରରେ ଏଥର ପ୍ରଥମ ଥର ପାଇଁ ବହୁ ସଂଖ୍ୟାରେ ମହିଳା ଭୋଟ୍ ଦେଇଥିଲେ । ଯାହା ଗତ ୩ଦଶକରେ ସର୍ବାଧିକ । ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପଛରେ ଲାଡଲି ବହନ ଯୋଜନାକୁ କାରଣ କୁହାଯାଉଛି । ନିର୍ବାଚନ ପ୍ରଚାର ବେଳେ ମହାୟୁତି କ୍ଷମତାକୁ ଫେରିଲେ ଯୋଜନାରେ ମିଳୁଥିବା ୧୫ଶହ ଟଙ୍କାକୁ ବଢାଇ ୨୧ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ ମହାଲକ୍ଷ୍ମୀ ଯୋଜନାରେ ମାସିକ ୩ହଜାର ଟଙ୍କା ଦେବା ସହ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ସୁବିଧା ଦେବାକୁ ଘୋଷଣା କରିଥିଲା । ତେବେ ମହାୟୁତିକୁ ଭରସା ଦେଖାଇଛନ୍ତି ଭୋଟର ।
ସହଯୋଗୀଙ୍କ ସହ ତାଳମେଳ
ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଓ ଆରଏସଏସ ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିଛି । ଏହାର ଲାଭ ମହାୟୁତିକୁ ମିଳିଛି। ନିର୍ବାଚନ ପ୍ରଚାରରେ ନେତୃତ୍ବର ଫାଇଦା ବି ମେଣ୍ଟକୁ ମିଳିଛି । ପ୍ରଚାର ଅଭିଯାନରେ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କୁ ଆଗରେ ଦେଖିବାକୁ ମିଳିଥିଲା । ଶିବସେନା ଓ ଏନସିପିରେ ବିଭାଜନ ପରେ ମହାରାଷ୍ଟ୍ରରେ ଏଥର ଅସଲି ବନାମ ନକଲି ଲଢେଇ ଦେଖିବାକୁ ମିଳିଥିଲା । ଲୋକସଭା ଫଳାଫଳ ପରେ ଅଜିତ ପାଓ୍ବାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ଜନତାଙ୍କ ମଧ୍ୟରେ ବିଶ୍ବାସଭାଜନ ହେବା । ଚ୍ୟାଲେଞ୍ଜରେ ସଫଳ ହେବା ସହ ରାଜ୍ୟ ରାଜନୀତିରେ ପ୍ରମୁଖ ନେତା ଭାବେ ନିଜକୁ ସ୍ଥାପିତ କରିଛନ୍ତି ଅଜିତ ପାଓ୍ବାର ।
କଂଗ୍ରେସ ହାତରୁ ଗଲା ବଡ ସୁଯୋଗ
ଲୋକସଭା ପ୍ରଦର୍ଶନ ପରେ ମହାରାଷ୍ଟ୍ରରୁ ବଡ ଆଶା ରଖିଥିଲା କଂଗ୍ରେସ । ତେବେ ବିଧାନସବାରେ ଦଳକୁ ଲାଗିଛି ବଡ ଝଟକା । ରାଜ୍ୟରେ ବିଫଳତା କଂଗ୍ରେସର ଦୁର୍ବଳ ସଂଗଠନ ସାଙ୍ଗକୁ ଅଣପ୍ରଭାବଶାଳୀ ରଣନୀତିକୁ ପଦାରେ ପକାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଦେଇ ଭାରତ ଯୋଡୋ ଯାତ୍ରା ଯାଇଥିଲା । ଏହାର ଫାଇଦା ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା । ହେଲେ ବିଧାନସଭା ନିର୍ବାଚନ ଯାଏଁ ଏହାର ପ୍ରଭାବ ରହିଲାନି । ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କ ହାତରୁ ମଧ୍ୟ ଖସିଗଲା ଜନାଧାର । ଲୋକସଭା ନିର୍ବାଚନର ବିଲକୁଲ ଓଲଟା ଫଳ ବିଧାନସଭାରେ ଦେଖିବାକୁ ମିଳିଛି ।
ଏକାଠି ଲଢିଲେ ଏକାଠି ଜିତିଲେ
ମହାରାଷ୍ଟ୍ର ନିର୍ବାଚନ ମାହୋଲରେ ମହାୟୁତି ଦେଇଥିଲା ଏକ୍ ହେଁ ତୋ ସେଫ୍ ହେଁ ନାରା । ମହାୟୁତିରେ ଏକତା ଦେଖିବାକୁ ମିଳିଥିଲା ତ ବିରୋଧୀ ଏମଭିଏ ଏକଜୁଟତାର ସନ୍ଦେଶ ଦେବାରେ ବିଫଳ ହୋଇଥିଲା । ପ୍ରଥମେ ସିଟ୍ ସେୟାରିଂ ପରେ ନିର୍ବାଚନ ପ୍ରଚାର ବେଳେ ଏକତାର ଅଭାବ ଏମଭିଏ ପରାଜୟର କାରଣ ସାଜିଛି । ସେପଟେ ଲୋକସଭା ଭୁଲକୁ ବିଧାନସଭାରେ ସୁଧାରିଥିଲା ମହାୟୁତି । ଚାଷୀ ଭୋଟବ୍ୟାଙ୍କ ହେଉ କି ଓବିସି ଭୋଟରଙ୍କ ସମର୍ଥନ, ପୁଙ୍ଖାନୁପୁଙ୍ଖ ନିର୍ବାଚନ ଗଣିତ କଷିଥିଲା ମେଣ୍ଟ। ଯେବେକି ଲୋକସଭା ଫଳକୁ ନେଇ ଅତ୍ୟଧିକ ଆତ୍ମବିଶ୍ବାସ ଏମଭିଏକୁ ପଛରେ ପକାଇଦେଲା ।