Latest Odisha News

BREAKING NEWS

ବିଜେପି କମାଇଲା ବିଧାନସଭା ଆସନ ସଂଖ୍ୟା ଲକ୍ଷ୍ୟ; ବିଜେଡି, କଂଗ୍ରେସ ରଖିଲେ ଜବାବ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦୃଢୋକ୍ତି ପ୍ରକାଶ କରିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଏହି ଦାବି କରିଛନ୍ତି ଦଳର ସାରସକଣା ବିଧାୟକ ବୁଧନ ମୁର୍ମୁ।

ପୂର୍ବରୁ ଓଡ଼ିଶାରେ ବିଜେପି ଦୁର୍ବଳ ଥିଲେ ମଧ୍ୟ ଦଳର ପ୍ରଦର୍ଶନରେ ଆଶାତୀତ ବୃଦ୍ଧି ଘଟିଛି। କେନ୍ଦ୍ରରେ ଆମର ନେତାମାନେ ଏକ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ଏବଂ ଟାର୍ଗେଟ୍ ସିଟ୍ଗୁଡ଼ିକୁ ଉପଲବ୍ଧି କରିବା ପାଇଁ ଏହା ଖୁବ୍ ଶୀଘ୍ର ବାସ୍ତବରେ କାର୍ଯ୍ୟକାରୀ ହେବ ବୋଲି ମୁର୍ମୁ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ୭୦-୮୦ ବିଧାୟକ ଆସନକୁ ଦଳ ଟାର୍ଗେଟ କରୁଛି ଏବଂ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଶ୍ୱାସ ରହିଛି। କହିରଖୁଛି ବିଜେପି ଏଯାବତ ୧୨୦ର ନାରା ଦେଇ ଆସୁଥିଲା ଏବେ କିନ୍ତୁ ୮୦ ଆସନକୁ ଟାର୍ଗେଟ କରିଥିବା ଜଣାପଡ଼ିଛି। କିନ୍ତୁ ୨୦୧୯ରେ ବିଜେପି ୮ଟି ଲୋକସଭା ଆସନ ଜିତିଥିବା ବେଳେ ଏବେ ୧୮ଟି ଆସନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

ତେବେ ବିଜେପିର ଏହି ଦାବିକୁ ଖଣ୍ଡନ କରିଛି ବିଜେଡି। ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ରାଜନୀତି କୋଠରି ଭିତରେ ବନ୍ଦ କରି ରଖାଯାଇ ହୁଏ ନାହିଁ। ପୂର୍ବରୁ ମଧ୍ୟ ବିଜେପି ଅନେକ ଦାବି କରିଛି। ଏପରିକି ଓଡ଼ିଶାରେ ୧୨୦ ଆସନ ପାଇଁ ସେମାନେ ନାରା ଦେଇଥିଲେ। କିନ୍ତୁ ଲୋକଙ୍କ ମନରେ କେବଳ ଗୋଟିଏ ଛବି ରହିଛି ଏବଂ ତାହା ହେଉଛି ନବୀନ ପଟ୍ଟନାୟକଙ୍କର। ବିଜେଡି ତୃଣମୂଳ ସ୍ତରରେ ନିଜର ଉପସ୍ଥିତି ଜାହିର କରିସାରିଛି ଏବଂ ଓଡ଼ିଶାରେ ପୁଣି ଥରେ ସରକାର ଗଠନ ହେବା ନିଶ୍ଚିତ ବୋଲି ସେ କହିଛନ୍ତି।

ଅପରପକ୍ଷରେ କଂଗ୍ରେସ କହିଛି ଯେ ଆଇନ ଅନୁଯାୟୀ ଦାବି ଉପରେ ଟ୍ୟାକ୍ସ ଲଗାଯାଇ ନାହିଁ ଏବଂ ଯେକୌଣସି ବ୍ୟକ୍ତି ଯେକୌଣସି ପ୍ରକାର ଦାବି କରିପାରିବେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜୟୀ କିଏ ହେବ ତାହା ନିର୍ବାଚନ ରଣାଙ୍ଗନରେ ଲୋକେ ସ୍ଥିର କରିବେ, କଲମ ଓ କାଗଜରେ ନୁହେଁ।

ସାଧାରଣ ନିର୍ବାଚନ ୨୦୨୪କୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାରୁ ଓଡ଼ିଶାରେ ସରକାର ଗଠନ ଓ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଜୁଲାଇ ୬ ତାରିଖରେ ହେବାକୁ ଥିବା ଗୌହାଟୀ ବୈଠକରେ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି ଗେରୁଆ ଦଳ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରାଯାଇଛି। ଆଞ୍ଚଳିକ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହକାରୀ ପ୍ରଭାତୀ ବିଜୟପାଲ ସିଂ ତୋମାର, ଜୁଲାଇ ୬ ତାରିଖରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବା ପାଇଁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଙ୍ଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଦଖଲ ପାଇଁ ଆଉ କ’ଣ କ’ଣ ଆବଶ୍ୟକ ପଡ଼ିବ, ତାହା ଏହି ଆଲୋଚନାରେ ସ୍ଥାନ ପାଇବ।

Comments are closed.