ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ଦରମା ବୃଦ୍ଧିର ସମୀକ୍ଷା କରିବା ସହ ଜନଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଉପରେ ବିଚାର କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବୈଠକରେ କହିଛନ୍ତି। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ରାଜ୍ୟ ଦଳ ସଭାପତି ମନମୋହନ ସାମଲ ଏବଂ ସଂଗଠନ ନେତାମାନେ ଯୋଗ ଦେଇଥିବା ସୂଚନା ମିଳିଛି।
ସଂଶୋଧିତ ପ୍ୟାକେଜ ଅନୁଯାୟୀ ବିଧାୟକ ମାନଙ୍କ ମାସିକ ଦରମା ପ୍ରାୟ ୧.୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩.୪୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ଯାହା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ୩.୭୪ ଲକ୍ଷ ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ୩.୬୮ ଲକ୍ଷ ଟଙ୍କା, କ୍ୟାବିନେଟ ମନ୍ତ୍ରୀ ୩.୬୨ ଲକ୍ଷ ଟଙ୍କା ଓ ରାଷ୍ଟ୍ର ମନ୍ତ୍ରୀମାନେ ୩.୫୬ ଲକ୍ଷ ଟଙ୍କା ଦରମା ପାଇବେ। ସେହିପରି ବାଚସ୍ପତିଙ୍କ ଦରମା ଏବଂ ଭତ୍ତା ମଧ୍ୟ ୩.୬୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପବାଚସ୍ପତି ୩.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବିରୋଧୀ ଦଳ ନେତା ଏବଂ ସରକାରୀ ମୁଖ୍ୟ ସଚେତକ ମାନେ ମାସିକ ୩.୬୨ ଲକ୍ଷ ଟଙ୍କା ପାଇବା ନେଇ ସୂଚନା ମିଳିଛି। ତେବେ ଆଠ ବର୍ଷର ବ୍ୟବଧାନ ପରେ ଏହି ବୃଦ୍ଧି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଥିବା ନେଇ ସରକାର ସୂଚନା ଦେଇଛନ୍ତି।
ବିଧାୟକ ମାନଙ୍କର ଏହି ଦରମା ବୃଦ୍ଧିକୁ ନେଇ ଜନସାଧାରଣ ଏବଂ ନାଗରିକ ସମାଜ ଗୋଷ୍ଠୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଯାହା ଫଳରେ ଡିସେମ୍ବର ୧୩ ତାରିଖରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ରାଶିକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ଓ ଏହା ବଦଳରେ ସରକାରଙ୍କୁ ଏହି ରାଶି ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ ମଧ୍ୟ କରିଥିଲେ।
Comments are closed.