ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଲୋକସଭାର ଏଥିକ୍ସ କମିଟିକୁ ପଠାଯାଇଛି। ଦୁବେ ଏ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଜଣାଇଥିଲେ। ଏହାପରେ ଲୋକସଭାର ଏଥିକ୍ସ କମିଟିକୁ ବାଚସ୍ପତି ତଦନ୍ତ ପାଇଁ ପଠାଇଛନ୍ତି।
ଦୁବେଙ୍କ ଅଭିଯୋଗ ଆଇନଜୀବୀ ଜୟ ଅନନ୍ତ ଦେହାଦରାଇଙ୍କ ଠାରୁ ମିଳିଥିବା ଏକ ଚିଠି ଉପରେ ଆଧାରିତ, ଯିଏ ମହୁଆ ମୋଇତ୍ର ଏବଂ ଦର୍ଶନ ହୀରାନନ୍ଦାନୀ ପରିବାରର ଜଣେ ସଦସ୍ୟଙ୍କ ମଧ୍ୟରେ “ଲାଞ୍ଚ ବିନିମୟର ଅକାଟ୍ୟ ପ୍ରମାଣ” ଥିବା ଦାବି କରିଛନ୍ତି।
ହିରାନନ୍ଦନୀ ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ମହୁଆ ମୋଇତ୍ର ତାଙ୍କ ବିରୋଧରେ “ମିଥ୍ୟା ଏବଂ ଅପମାନଜନକ ଅଭିଯୋଗ” ଆଣିଥିବାରୁ ଦୁବେ ଏବଂ ଦେହାଦରାଇଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି। ମୋଇତ୍ର ଦାବି କରିଛନ୍ତି ଯେ ଏହି ଅଭିଯୋଗ ମିଛ ଉପରେ ଆଧାରିତ, ଏବଂ ସେ ଦେହାଦରାଇଙ୍କ ବିରୋଧରେ ଅନେକ ଥାନାରେ ଅଭିଯୋଗ କରିଛନ୍ତି।
ସେହିପରି ସୋଶିଆଲ ମିଡିଆରେ ସେ ସିଗାର ପିଉଥିବା ଓ ସାମ୍ପେନ୍ ପିଉଥିବାର ଫଟୋକୁ ବିଜେପି ଏ଼ଡିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି। ଏବେ ଏଥିକ୍ସ କମିଟି ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ।
ଉଲ୍ଲେଖଯୋଗ୍ୟ, ଟିଏମସି ସାଂସଦ ମହୁଆ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଆକାରରେ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ କହିଥିଲେ।
ଦୁବେ ଓକିଲ ଜୟ ଅନନ୍ତ ଦେହାଦରାଇଙ୍କ ଏକ ଚିଠିକୁ ଉଦ୍ଧୃତ କରିଛନ୍ତି, ଯେଉଁଠାରେ ସେ ଦାବି କରିଛନ୍ତି ଯେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଏବଂ ଜଣେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ମଧ୍ୟରେ “ଲାଞ୍ଚ” ନେବାର ପ୍ରମାଣ ରହିଛି। ତଦନ୍ତ କମିଟି ରିପୋର୍ଟ ନଦେବା ଯାଏ ମହୁଆଙ୍କୁ ଗୃହରୁ ନିଲମ୍ବିତ କରାଯାଉ ବୋଲି ଦୁବେ ଅନୁରୋଧ କରିଛନ୍ତି।
ବିଜେପି ସାଂସଦ ଦାବି କରିଛନ୍ତି ଯେ ନିକଟରେ ମହୁଆଙ୍କୁ ପଚରାଯାଇଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୧ଟି ହିରାନନ୍ଦନୀ ଓ ତାଙ୍କ କମ୍ପାନୀର ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ଥିଲା। ଏପରିକି ଲୋକସଭାର ଏହି ସାଂସଦଙ୍କୁ ମିଳିଥିବା ୟୁଜର ଆଇଡି ଓ ପାସଓ୍ବାର୍ଡକୁ ସେ ଅନ୍ୟ ଜଣଙ୍କ ସହ ସେୟାର କରିଛନ୍ତି ବୋଲି ଦୁବେ ଦାବି କରିଛନ୍ତି। ତେଣୁ ଗୋପନୀୟତା ଲିକ୍ ହେବା ଆଶଙ୍କାରେ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କୁ ଚିଠି ଲେଖି ଜଣାଇଛନ୍ତି ଦୁବେ।
Comments are closed.