Latest Odisha News

BREAKING NEWS

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଓଡ଼ିଶାରେ ଲାଗୁ ହୋଇନାହିଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା ଆୟୁଷ୍ମାନ ଭାରତ ଯୋଜନା। ଏବେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଚାପ ପକାଇବା ଦରକାର ବୋଲି ବିଜେପି ସାଂସଦମାନେ ଦାବି କରିଛନ୍ତି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ଭେଟି ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଦାବି ହୋଇଛି।

ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ରାଜ୍ୟ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ମାଣ୍ଡଭ୍ୟଙ୍କୁ ଭେଟି ସେମାନଙ୍କ ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ଲାଗୁ କରିଛନ୍ତି। ହେଲେ ଓଡିଶା ଏବଂ ଅନ୍ୟ କେତେକ ରାଜ୍ୟ ଏହି ସ୍ୱାସ୍ଥ୍ୟ ଯୋଜନାର ଲାଭ ପାଇପାରୁ ନାହାନ୍ତି ବୋଲି ସାଂସଦମାନେ ସେମାନଙ୍କ ସ୍ମାରକପତ୍ରରେ କହିଛନ୍ତି।।

ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଲେଖିଛନ୍ତି, ଆୟୁଷ୍ମାନ ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି । ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବା ବେଳେ ଓଡ଼ିଶା ଲାଗୁ ନକରିବା ଚିନ୍ତାଜନକ । ଓଡ଼ିଶା ବାହାରେ କାମ କରୁଥିବା ପ୍ରାୟ ୧ କୋଟି ଲୋକ ସମେତ ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ଭାଇ ଭଉଣୀ ମାନେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିବା ନେଇ ଭାରତ ସରକାର ବ୍ୟବସ୍ଥା କରିଛନ୍ତି । ଦେଶର ୨୦ଟି ରାଜ୍ୟରେ ଏହି ଯୋଜନା ସମେତ ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ସମାନ୍ତର ଭାବେ କାର୍ଯ୍ୟକାରୀ ହେଉଛି । ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ ନକରି ସାଢେ ୪ କୋଟି ଓଡ଼ିଆ ଲୋକଙ୍କୁ ବଞ୍ଚିତ ରଖିବା ବଡ଼ ଚିନ୍ତାର ବିଷୟ ।

ବିଜେପି ସାଂସଦମାନେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯-୨୦ରେ ୧୯ଟି ବୃହତ ରାଜ୍ୟ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରଦର୍ଶନ ପାଇଁ ଓଡ଼ିଶା ୧୪ତମ ସ୍ଥାନରେ ରହିଛି। ଯାହା ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ନିକଟବର୍ତ୍ତୀ ରାଜ୍ୟ ତୁଳନାରେ କମ୍।

ଆୟୁଷ୍ମାନ ଭାରତ ଏକ ଗେମ୍ ଚେଞ୍ଜର ଯୋଜନା । ଏହା ଗରିବଙ୍କ ସେବା କରିବାର ଏକ ସୁଯୋଗ ବୋଲି ଦର୍ଶାଇ ଓଡିଶା ବିଜେପି ସାଂସଦମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ସରକାର, ବିଶେଷକରି ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରେ ଆୟୁଷ୍ମାନ ଭାରତ ଯୋଜନା ଚୟନ କରିବାକୁ ଅନୁରୋଧ କରିଛନ୍ତି।

Comments are closed.