Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ଦ୍ୱାରା ଓବିସି ବର୍ଗ ଉପେକ୍ଷିତ: ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାଦ ଦେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଉପେକ୍ଷା କରୁଛନ୍ତି । ସମ୍ବିଧାନ ଅଧିକାରରୁ ବଞ୍ଚିତ କରୁଛନ୍ତି । ସରକାର କିଛି କରି ନାହାନ୍ତି, କୋର୍ଟ କରିଛି ବୋଲି କହି ଖସି ଯିବାକୁ ଚେଷ୍ଟା କରୁଥିବା କହିଛି ବିଜେପି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକା ରଦ୍ଦ ହୋଇଛି । ସେହି ସ୍ଥାନରେ ଏକ ନୂତନ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କୋର୍ଟର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଟ୍ରିପଲ ଟେଷ୍ଟ ପାସ୍ କରିପାରିଲେ ନାହିଁ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନବାଣ ଛାଡିଛି ବିଜେପି ।

ରାଜ୍ୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କାହିଁକି ଓବିସି କମିଶନ ଖାଲିଥିଲା ? କମିଶନଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି କି ନାହିଁ ? ଯୁବକ/ଯୁବତୀ ମାନଙ୍କୁ କାଷ୍ଟ ସାର୍ଟିଫିକେଟ୍ ମିଳିବ କି ନାହିଁ ? ଓବିସି କମିଶନ ମାଧ୍ୟମରେ ସର୍ଭେ କରି ନାହାନ୍ତି, କିନ୍ତୁ ସରକାରଙ୍କ ପାଖରେ ପୂର୍ବରୁ ଓବିସି ଓ ଏସସିବିସି ତାଲିକା ରହିଛି । ଯାହାକୁ ଆଧାର କରି କୋର୍ଟକୁ ଜଣାଇ ସଂରକ୍ଷଣ ଦେଇ ପାରିଥାନ୍ତେ ହେଲେ କାହିଁକି କଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ଓବିସି ମୋର୍ଚ୍ଚା ।

ରଥଯାତ୍ରା ବନ୍ଦ କରିବା ପାଇଁ ସରକାର ଓକିଲ ଦେଲେ ହେଲେ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ କାହିଁକି କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ନାହିଁ ରାଜ୍ୟ ସରକାର ବୋଲି ପ୍ରଶ୍ନ ପରେ ପ୍ରଶ୍ନ କରିଛି ବିଜେପି ଓବିସି ମୋର୍ଚ୍ଚ । ଯଦି ଆନ୍ତରିକତା ଅଛି ତେବେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ ରାଜ୍ୟ ସରକାର ବୋଲି ମୋର୍ଚ୍ଚର ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.