Latest Odisha News

ନିର୍ବାଚନକୁ ଆଖିରେ ରଖି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ବିଜେପି ସଭାପତି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦଳୀୟ ଶାଖାଗୁଡ଼ିକରେ ବଡ଼ ବଡ଼ ନିଯୁକ୍ତି ଓ ଦାୟିତ୍ୱ ଘୋଷଣା କରିଛି।

ବୁଧବାର ବିଳମ୍ବିତ ସଂଧ୍ୟାରେ ବିଜେପି ଦଳର ଯୁବ ମୋର୍ଚ୍ଚା, କୃଷକ ସଂଗଠନ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଇତ୍ୟାଦିର ପ୍ରଭାରୀଙ୍କ ସମେତ ସମସ୍ତ ନୂଆ ସାଂଗଠନିକ ନିଯୁକ୍ତି ତାଲିକା ପ୍ରକାଶ ପାଇଛି। ଓଡ଼ିଶାରୁ ୪ ଥର ସାଂସଦ ହୋଇଥିବା ବୈଜୟନ୍ତ ପଣ୍ଡା ଓ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କୁ ନୂଆ ଦାୟିତ୍ବ ମିଳିଛି। ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଦ୍ବାରା ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

  • ଓଡ଼ିଶାର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଯୁବ ମୋର୍ଚ୍ଚା ପ୍ରଭାରୀ ହୋଇଛନ୍ତି
  • ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ହୋଇଛନ୍ତି ମହିଳା ମୋର୍ଚ୍ଚା ପ୍ରଭାରୀ
  • ତେଲେଙ୍ଗାନାର ବନ୍ଦୀ ସଞ୍ଜୟ କୁମାର ହୋଇଛନ୍ତି କୃଷକ ମୋର୍ଚ୍ଚା ପ୍ରଭାରୀ
  • ତରୁଣ ଚୁଗ୍ ହେଉଛନ୍ତି ଏସସି ମୋର୍ଚ୍ଚାର ପ୍ରଭାରୀ
  • ରାଧା ମୋହନ ଦାସ ଅଗ୍ରୱାଲ ଏସଟି ମୋର୍ଚ୍ଚାର ପ୍ରଭାରୀ
  • ବିନୋଦ ତାୱଡେ ଓବିସି ମୋର୍ଚ୍ଚା ପ୍ରଭାରୀ
  • ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ ହୋଇଛନ୍ତି ଦୁଷ୍ମନ୍ତ କୁମାର ଗୌତମ

ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନଡ୍ଡା ୨୦୨୩ ଡିସେମ୍ବର ଶେଷ ସପ୍ତାହରେ ବିଜେପିର ରାଷ୍ଟ୍ରୀୟ କର୍ମକର୍ତ୍ତାମାନଙ୍କର ଦୁଇ ଦିନିଆ ବୈଠକ ଡକାଇ ଦଳର ଏଜେଣ୍ଡା ଏବଂ ଆଗାମୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବୈଜୟନ୍ତଙ୍କ ପାଇଁ ଏହା ଏକ ଆହ୍ବାନମୂଳକ କାମ ରହିବ। କାରଣ ନିକଟରେ ହୋଇଥିବା ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନରେ ବିଜେପିର ବିଜୟର ଶ୍ରେୟ ପଛରେ ମହିଳା ଭୋଟ୍ ବ୍ୟାଙ୍କ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାରେ ମଧ୍ୟ ଶାସକ ଦଳ ବିଜେଡି ମହିଳା ଭୋଟ୍ ବ୍ୟାଙ୍କ ଉପରେ ଫୋକସ କରିଛି। ଅନ୍ୟପଟେ ମୋଦୀ ସରକାର ସମୟରେ ମହିଳାଙ୍କ ବିରୋଧରେ ଅଧିକ ନିର୍ଯାତନା ହେଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ଏପରି ସ୍ଥିତିରେ ବୈଜୟନ୍ତଙ୍କୁ ମିଳିଥିବା ନୂଆ ଦାୟିତ୍ବ ଆହ୍ବାନମୂଳକ ରହିଛି।

Comments are closed.