ଭୁବନେଶ୍ୱର: ଏବେକାର ରାଜନୀତିରେ ରାଜନେତା ଏବଂ କର୍ମୀଙ୍କ ମଧ୍ୟରେ ଲୋକସେବା ଅପେକ୍ଷା ଅଧିକା ପାଗଳାମୀ ଦେଖିବାକୁ ମିଳୁଛି । ଗତ କେତେକ ନିର୍ବାଚନରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଯେଉଁଭଳି ବ୍ୟାପୁଛି ତାହାକୁ ଦେଖିଲେ ମାନବିକତା ଓ ମଣିଷପଣିଆ ବି ବାଟହୁଡି ଯାଉଛି । ଜିତିବା ପାଇଁ ସୁଯୋଗକୁ ଉଣ୍ଡି ରହିଥିବା ନେତାମାନେ ଯେ କୈାଣସି ସ୍ତରକୁ ଯାଉଥିବା ପଶ୍ଚିମବଂଗ ରାଜନୀତିରୁ ଅଧିକ ଉଦାହରଣ ମିଳିପାରେ । ତେବେ ଓଡ଼ିଶାରେ କା ଭାଁ ଗଣ୍ଡଗୋଳ ଭିତରେ ସରିଛି ଉପନିର୍ବାଚନ । ଆଉ ସବୁଠୁ ବଡ଼ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ମାନିଛନ୍ତି ଏଥର ସେ ଜାଣିଥିଲେ ଉପନିର୍ବାଚନ ଜିତିପାରିବେ ନାହିଁ । କାରଣ ବିରୋଧୀଙ୍କ ଇମେଜ ତାଙ୍କ ଠାରୁ ବଡ଼ ଥିଲା । ନବୀନ ଆହୁରି ମାନିଛନ୍ତି ଯେ ଅଧିକ ଲୋକପ୍ରିୟତା ଥିଲେ ବିଷ୍ଣୁ ସେଠୀ ।
ଧାମନଗର ଉପନିର୍ବାଚନରେ ବିଜେପି ବିଜୟ ପରେ ଏବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ହେବେ । ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଟିକେଟ ଦେଇ ଦଳ କେତେ ଭୁଲ କରିଛି ତାହା ବିଜେଡି ନେତାମାନେ ନିଶ୍ଚୟ ମନ୍ଥନ କରିବେ । ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡି ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଛି କଥାକୁ ମନେପକାଇ ଦେଇଛି । ବିଗତ କିଛି ବର୍ଷ ହେଲା ଉପନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଥର ଦୋହରାଇଥିବା ବାକ୍ୟଟି ହେଲା ମୁଁ ଏହି କ୍ଷେତ୍ରର ଦାୟିତ୍ବ ନେଉଛି । ଏହାର ସର୍ବାଙ୍ଗୀନ ଉନ୍ନତି କରିବି । ଅର୍ଥାତ ଏବେ ବି ଓଡ଼ିଶାର ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗ୍ରାମାଞ୍ଚଳ ଉନ୍ନୟନ ଏମିତି ଅନେକ ବିଭାଗ ରହିଛି ଯାହାର ଉନ୍ନତି ଏପର୍ଯ୍ୟନ୍ତ ହୋଇନାହିଁ । ଯାହାର ସମସ୍ତ ଦାୟିତ୍ବ ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି । ତେବେ ଏ ଦାୟିତ୍ବ ମୁଖ୍ୟମନ୍ତ୍ରୀ କେତେ ପୂରଣ କରନ୍ତି ତାହା ସେହି ନିର୍ବାଚନ ମଣ୍ଡଳିର ଜନସାଧାରଣ ଜାଣନ୍ତି ।
ଏଠି ଉପନିର୍ବାଚନ କଥା ଦେଖିଲେ ନବୀନ ବାବୁଙ୍କ ୨୨ବର୍ଷର ଶାସନ ପରେ ଏକ ପ୍ରଶ୍ନଚିହ୍ନ ଉଠିଛି । ଯଦି ଆଗକୁ ଏପରି ଲାଗିରହେ ତେବେ ବିଜେଡି ହାତରୁ କିଛି ଆସନ ପୁଣି ବିରୋଧୀଙ୍କ ହାତକୁ ଯାଇପାରେ । ଦ୍ବିତୀୟ କଥା ହେଲା ସଦାବେଳେ ନିର୍ବାଚନରେ ବିଜୟୀ ହେବା ବି ସମ୍ଭବ ନୁହେଁ । ଆଗକୁ 2024 ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଏହା ଏକ ବଡ଼ ପରୀକ୍ଷା ଥିଲା ଯେଉଁଥିରେ ବିଜେଡିର ଦୁର୍ବଳତା କିଛି ମାତ୍ରାରେ ଧରାପଡିଛି । ୨୦୦୯ ରେ ମେଂଟ ଭାଙ୍ଗିବା ପରେ ଯେତେ ଉପନିର୍ବାଚନ ହୋଇଛି ସବୁଥିରେ ବିଜେଡି ଜିତିଛି । ଆଉ ପ୍ରଥମ ଥର ପାଇଁ ଏହି ଉପନିର୍ବାଚନରେ ବିଜେଡି ହାରିଛି । ବିଜେଡି ପ୍ରାର୍ଥୀ ବି ହାରିଛନ୍ତି ଆଉ ନବୀନ ବି ହାରିଥିବା ମାନିଛନ୍ତି ।
ଜାତୀୟ ରାଜନୀତିକୁ ଦେଖିଲେ ଏବେ ମୋଦିଙ୍କ ଚେହରାକୁ ନେଇ ବିଜେପି ଅନେକ ଆସନରେ ଜିତିବାରେ ଲାଗିଛି । ନବୀନଙ୍କ ଚେହେରାକୁ ନେଇ ରାଜ୍ୟରେ ବିଜେଡି ମଧ୍ୟ ଜିତୁଛି । ଯେତେବେଳେ ଏହି ଚେହେରା ଉପରେ ପ୍ରାର୍ଥୀଙ୍କ ଚେହେରା ଅଧିକ ଲୋକପ୍ରିୟତା ହାସଲ କରୁଛି ସେତେବେଳେ ଏହି ଦୁଇ ନେତାଙ୍କ ଇମେଜ କାମ କରୁନି ଏହା ହିଁ ବାସ୍ତବିକ କଥା ।
2014 ସାଧାରଣ ନିର୍ବାଚନ ପରଠୁ ବିଜେଡି ନବୀନଙ୍କ ନାମରେ ବହୁ ବିଧାୟକଙ୍କୁ ବିଧାନସଭା ପଠାଉଥିବା ବେଳେ ମୋଦିଙ୍କ ଚେହେରା ପାଇଁ ଲୋକସଭା ଆସନରେ ବିଜେପିକୁ ଲୋକେ ସମର୍ଥନ କରୁଛନ୍ତି । ଆଗାମୀ ଦିନରେ ଏହା କୁହାଯାଇପାରେ ଓଡ଼ିଶାରେ ଲୋକେ ଗୋଟେ ପଟେ ନବୀନଙ୍କୁ ସମର୍ଥନ କରିବା ବେଳେ ଅନ୍ୟପଟେ ମୋଦିଙ୍କୁ ସମର୍ଥନ କରିପାରନ୍ତି । ତେଣୁ 2024 ଲୋକସଭା ଆସନରେ ବିଜେପି ନିଶ୍ଚୟ 2019ଠାରୁ ଅଧିକ ଆସନ ଓଡ଼ିଶାରେ ପାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ଏହା ସହିତ ବିଧାନସଭା ଆସନରେ ମଧ୍ୟ ଦୁଇ ଚେହେରାକୁ ନେଇ କଡା ଟକ୍କର ହୋଇପାରେ ଏବଂ ବିଜେଡିର କିଛି ଆସନ ବିଜେପି ହାତକୁ ଆସିପାରେ ।
ଧାମନଗର ଉପନିର୍ବାଚନରେ ବିଜେଡିର ବରିଷ୍ଠ ନେତାମାନେ ଆସନ ଜିତିବା ନିମନ୍ତେ ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ ପ୍ରମାଣିତ ହୋଇଛି । ମିଶନ ଶକ୍ତି ନାଁରେ ଅବନ୍ତୀଙ୍କୁ ଟିକେଟ୍ ଦେଇ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନଦେବା ବଡ଼ ଭୁଲ ବୋଲି ଆଲୋଚନା ହେଉଛି । ବିଭିନ୍ନ ଘଟଣାରେ ବିବାଦୀୟ ନେତାଙ୍କୁ ଦାୟିତ୍ବ ଦେବା ମଧ୍ୟ ଆଉ ଏକ ଭୁଲ ବୋଲି ଆଲୋଚନା ହେଉଛି । କାର୍ଯ୍ୟକର୍ତ୍ତା ହିଂସା ଆଚରଣ ଓ ଏବଂ ସାଧାରଣ ଭୋଟରଙ୍କୁ ଭୟ ଦେଖାଇବା ମଧ୍ୟ ବିଜେଡିର ଏକ ଭୁଲ ଥିବା କୁହାଯାଉଛି । ଯେଉଁ ଭୁଲକୁ ନସୁଧାରିଲେ ଆଗାମୀ ନିର୍ବାଚନରେ ନବୀନଙ୍କୁ ଆହୁରି କିଛି ଆସନ ହାରିବାର ଦେଖାଯାଇପାରେ ।
ଏଠାରେ କୁହାଯାଇପାରେ ରାଜେନ୍ଦ୍ରଙ୍କୁ ଅଧିକ ଭୋଟ ମିଳିନି । କିନ୍ତୁ ତାଙ୍କୁ ଯେତିକି ଭୋଟ ମିଳିଛି ଏବଂ ତାଙ୍କ ପାଇଁ ଯେତିକି ଭୋଟ କଟିଛି ତାହା ଥିଲେ ବିଜେଡି ଜିତିବାର ସଂଭାବନା ଅଧିକ ଥିଲା । ବିଜେଡି ନେତାଙ୍କ ଜିତିବାର ମାତ୍ରାଧିକ ଆତ୍ମବିଶ୍ୱାସ ଆଗାମୀ ଦିନରେ ବିଜେଡିକୁ ଆହୁରି ଭୁଲ କରିବାକୁ ବାଧ୍ୟ କରିପାରେ । କାରଣ ରାଜନୀତିରେ ଗୋଟିଏ ଗୋଟିଏ ଭୁଲ ନିଷ୍ପତ୍ତିର ଫଳ ନିର୍ବାଚନ ହାରିବା । ଆଉ ଗୋଟିଏ କଥା ହେଲେ ଟଙ୍କା ବାଣ୍ଟିବା , ଭୋଜି କରିବାରେ ନିର୍ବାଚନ ଜିତି ହୁଏନି ଏହା ମଧ୍ୟ ଧାମନଗରବାସୀ ବାର୍ତ୍ତା ଦେଇଛନ୍ତି ।
ଦିନେ କଂଗ୍ରେସ ମଧ୍ୟ ଆଜିର ବିଜେଡି ଭଳି ଅଧିକ ଆସନ ପାଇ ରାଜୁତି କରୁଥିଲା । ଆଉ ଆଜି କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ତେଣୁ ରାଜନୀତିରେ କିଏ କେତେବେଳେ ଭୋଟରଙ୍କ ଆଖିରେ ସମର୍ଥନ ହରାଇବ ତାହା କହିବା ଅସମ୍ଭବ । ଭୋଟରଙ୍କୁ ସମ୍ମାନ ନମିଳିଲେ ଭୋଟର ବି ନେତାଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏହାର ଉଦାହରଣ ଧାମନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି କହିବା ଅତ୍ୟୁକ୍ତି ହେବ ନାହିଁ ।
Comments are closed.