Latest Odisha News

BREAKING NEWS

ବିବିସି ଦୁନିଆର ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା: ବିଜେପି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ଟିମ୍ ମଙ୍ଗଳବାର ସକାଳ ୧୧ ଟାରୁ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ ବା ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ  ଘଣ୍ଟା ଘଣ୍ଟା ଧରି ସର୍ଭେ କରିଛି। ଅନ୍ତର୍ଜାତୀୟ ଟ୍ୟାକ୍ସରେ ଅନିୟମିତତା ଅଭିଯୋଗ ସମ୍ପର୍କରେ ଏହି ସର୍ଭେ କରାଯାଉଛି। ସେପଟେ ଏହାକୁ ନେଇ ବୟାନବାଜି ତେଜିଛି। ଏପରି ଅତର୍କିତ ରେଡକୁ କଂଗ୍ରେସ ଅଗଣତାନ୍ତ୍ରିକ ବୋଲି କହିବା ସହିତ ବିଜେପି କହିଛି, ବିବିସି ଦୁନିଆର ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା।

ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗ ବୁଧବାର ମୁମ୍ବାଇ ଏବଂ ଦିଲ୍ଲୀର ବିବିସି କାର୍ଯ୍ୟାଳୟରେ ମଧ୍ୟ ଏକ ସର୍ଭେ କରିବ। ଆୟକର ବିଭାଗ ୨୦୧୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବିସିର ଆକାଉଣ୍ଟ ବିବରଣୀ ଯାଞ୍ଚ କରୁଛି। ସୂଚନାନୁସାରେ, ବିବିସିର ଆକାଉଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡ଼ିକୁ ପରୀକ୍ଷା ଏବଂ ଅନୁଧ୍ୟାନ କରିବାକୁ ଆଇଟି ବିଭାଗ ଅଧିକ ସମୟ ନେବ ବୋଲି ସୂଚନା ରହିଛି।

ଆରମ୍ଭରୁ ଆୟକର ବିଭାଗର ଏହା ରେଡ୍ ବୋଲି କୁହାଯାଉଥିବା ବେଳେ ପରେ କିନ୍ତୁ ଆଇଟି ବିଭାଗ କହିଛି ଏହା ଏକ ରୁଟିନ ସର୍ଭେ। ବିବିସି ମଧ୍ୟ ପ୍ରତିକ୍ରିୟାରେ କହିଛି, ସେମାନେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ। ଆୟକର ଅଧିକାରୀ କହିଛନ୍ତି ଯେ ବିଭାଗ କେବଳ କମ୍ପାନୀର ବ୍ୟବସାୟ ପରିସର ଉପରେ ସର୍ଭେ କରିଛି। ପ୍ରମୋଟର ଏବଂ ନିର୍ଦ୍ଦେଶକଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହି ସର୍ଭେ ସମୟରେ ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଫୋନ ବନ୍ଦ ହୋଇଯାଇଥିଲା। ସମସ୍ତଙ୍କୁ ପ୍ରୋକଷ୍ଠରେ ବସିବାକୁ କୁହାଯାଇଥିଲା। ତେବେ ପ୍ରାୟ ୬ ଘଣ୍ଟା ପରେ ଅପରାହ୍ନ ୫ ଟାପରେ ବିବିସି କର୍ମଚାରୀମାନଙ୍କୁ ସେମାନଙ୍କ କାମ କରିବାକୁ ଅନୁମତି ଦିଆଯାଇଥିଲା।

ଆୟକର ବିଭାଗର କାର୍ଯ୍ୟ ସମ୍ପର୍କରେ ବିଜେପି ମୁଖପାତ୍ର ଗୌରବ ଭାଟିଆ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,  କଂଗ୍ରେସ ମନେ ରଖିବା ଉଚିତ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିବିସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆୟକର ବିଭାଗ ଆଇନ ଅନୁଯାୟୀ ବିବିସି  କାର୍ଯ୍ୟାଳୟରେ ଚଢାଉ କରିଥିଲା। ବିବିସି ଦୁନିଆର ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା।

ସେ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନୂଆ ଶିଖରକୁ ଛୁଇଁଛି। କିଛି ଗୋଷ୍ଠୀ ଏହାକୁ ପସନ୍ଦ କରନ୍ତି ନାହିଁ। ଭାରତରେ ସାମ୍ବାଦିକତା କରିବା ପାଇଁ ବିବିସିର ସମସ୍ତ ଅଧିକାର ଅଛି, କିନ୍ତୁ ସେମାନଙ୍କୁ ଦେଶର ନିୟମ ପାଳନ କରିବାକୁ ପଡ଼ିବ। ବିବିସି ଭାରତୀୟ ଭାବନାକୁ ଅପମାନିତ କରିଛି ବୋଲି ମଧ୍ୟ ସେ କହିଥିଲେ।

ଏଥି ସହିତ ବିବିସି କାର୍ଯ୍ୟାଳୟରେ ଆୟକର ସର୍ଭେକୁ ନେଇ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଚିନ୍ତା ପ୍ରକଟ କରିଛି। ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି- ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ବିବିସି କାର୍ଯ୍ୟାଳୟରେ ଆଇଟି ବିଭାଗ ଟିମ୍ ଦ୍ୱାରା ସର୍ଭେ କରାଯାଉଛି। ୨୦୦୨ରେ ଗୁଜୁରାଟ ଦଙ୍ଗା ଏବଂ ବର୍ତ୍ତମାନ ଭାରତରେ ସଂଖ୍ୟାଲଘୁଙ୍କ ଅବସ୍ଥା ବିଷୟରେ ବିବିସି ଏକ ଡକ୍ୟୁମେଣ୍ଟାରୀ ରିଲିଜ୍ କରିବା ପରେ ଏହା ଘଟିଛି।

 

 

Comments are closed.