ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ କରାଉନଥିବା ଅଭିଯୋଗ କରି ଆଜି ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ ।
ସେହି ବୁଥ୍ ଗୁଡିକୁ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ମାଧ୍ୟମରେ ଜଣାଇଥିଲା ବିଜେପି । ଧାମନଗର ଉପନିର୍ବାଚନରେ ସେହି ବୁଥ୍ ଗୁଡିକୁ ସମ୍ବେଦନଶୀଳ ଓ ସୁପର ସମ୍ବେଦନଶୀଳ କରାଯାଉ ବୋଲି ଜିଲ୍ଲା ପ୍ରଶାସନକୁ ଜଣାଇଥିଲା ବିଜେପି । ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଭଦ୍ରକ ଜିଲ୍ଲାପାଳ ଓ ଏସପି ବିଜେଡ଼ିର ଏଜେଣ୍ଟ ସାଜି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଗୁଡିକୁ କାଟି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଏ ନେଇ କେନ୍ଦ୍ରରୁ ଆସିଥିବା ଦୁଇ ଜଣ ନିର୍ବାଚନ ଅବଜରଭର ନିରଞ୍ଜନ କୁମାର ଓ ପ୍ରନେଶ ଗୁପ୍ତାଙ୍କୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ସାଳନ୍ଦୀ ଗେଷ୍ଟ ହାଉସରେ ଭେଟି ଏନେଇ ଆଲୋଚନା କରିଥିଲା । ବିଜେପି ଦେଇଥିବା ସମ୍ୱେଦନଶୀଳ ଓ ଅତିସମ୍ୱେଦନଶୀଳ ବୁଥ୍ ଗୁଡିକରେ ଯଦି କିଛି ଅପ୍ରତିକାର ପରିସ୍ଥିତି ସୃଷ୍ଟି ହୁଏ ତାହା ହେଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ରହିବେ ବୋଲି କହିଛନ୍ତି ପୃଥ୍ୱୀରାଜ ।
Comments are closed.