Latest Odisha News

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? ସରକାରଙ୍କୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ?  କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ ଯଦି ସରକାରଙ୍କ ପାଖରେ ଟଙ୍କା ଅଛି ତାହାଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି ?  ୧ବର୍ଷ ପରେ ସେହି ପଦବୀରେ ନିଯୁକ୍ତି ପାଇଥିବା ୨୦ହଜାର ଶିକ୍ଷକଙ୍କ ଭାଗ୍ୟ କ’ଣ ହେବ ?  ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

ଗତକାଲି ରାଜ୍ୟ ସରକାର ରାଜ୍ୟର ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ଉପରେ ବର୍ଷିଛି ବିଜେପି ।  ବିଜୁ ଜନତା ଦଳ ସରକାରରେ ମାଲିକ ସାଜିଥିବା ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଛନ୍ତି ଏହା ହେଉଛି ତାହାର ପ୍ରମାଣ ବୋଲି କହି ସମାଲୋଚନା କରିଛନ୍ତି ବିରେଧାୀ । ୫-ଟି ଟ୍ରାନ୍ସିମିସନ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବା ପାଇଁ ସରକାର ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି । ହେଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି ବୋଲି ପ୍ରଶ୍ନ କରିଛି ବିରୋଧୀ ଦଳ ।

ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ । ପୁନଃ ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ । ତାହାଲେ ପୁଣି ଗତକାଲିର ଏହି ଠିକା ନିଯୁକ୍ତି ନିଷ୍ପତି କାହାର? ସରକାର ଯେଉଁକଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ ଘୋଷଣା ପ୍ରତିଶ୍ରୁତି ଦେବାରେ ରେକର୍ଡ କରିଛି । ତୁରନ୍ତ ସରକାର ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ସହିତ ସେହି ୨୦,୦୦୦ହଜାର ଶିକ୍ଷକ ପଦବୀରେ ନିୟମିତ ନିଯୁକ୍ତି କରିବା ପାଇଁ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ସରକାରଙ୍କ ଭୁଲ୍ ନିଷ୍ପତି ପାଇଁ ୪ଦିନ ହେବ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯାହା ଫଳରେ ବିଦ୍ୟାଳୟ ଶିକ୍ଷାପ୍ରଦାନ ବ୍ୟବସ୍ଥା ପ୍ରଭାବିତ ହେଉଛି ।  ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ସରକାର ନିଜେ ଦାୟୀ । ଓଡ଼ିଶାରେ ଶିକ୍ଷକମାନଙ୍କୁ ଯେତିକି କ୍ୟାଟାଗୋରିରେ ବିଭକ୍ତ କରାଯାଇଛି ତାହା ବୋଧହୁଏ ଆଉ କେଉଁ ରାଜ୍ୟରେ ନଥିବ । ମଇ ୬, ୨୦୨୧ରେ ମାନ୍ୟବର ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଏକଥା ମଧ୍ୟ କହିଥିଲେ ଯେ, ସରକାର ପ୍ରାଥମିକ ଶିକ୍ଷାକୁ ନେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ସେହି ଟିପ୍ପଣୀ ପରେ ମଧ୍ୟ ଟିକିଏ ହେଲେ ବି ସୁଧୁରିଲେ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଅଣଓଡ଼ିଆ ଅଧିକାରୀମାନେ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଗତକାଲି ପ୍ରକାଶ କରିଥିବା ଠିକା ନିଯୁକ୍ତିର ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ସହ ସେହି ପଦରେ ନିୟମିତ ଶିକ୍ଷକନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ, ନହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେନେଇ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Comments are closed.