Latest Odisha News

କୋର୍ଟ ନିର୍ଦ୍ଦେଶକୁ ଫୁ, ପୂରଣ ହେଉନି ଭିନ୍ନକ୍ଷମ କମିଶନ ପଦବୀ -ବିଜେପି

ଭୁବନେଶ୍ୱର:ଭିନ୍ନକ୍ଷମଙ୍କ ପାଇଁ ଅନ୍ଧ, ମୁକ, ବଧିର ପାଲଟି ଯାଇଛନ୍ତି ସରକାର ।  ଭିନ୍ନକ୍ଷମଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ତଥା ସଶକ୍ତୀକରଣ ନିମନ୍ତେ ଗଠନ ହୋଇଥିଲା ଭିନ୍ନକ୍ଷମ କମିଶନ । ହେଲେ ଏହି କମିଶନ ପଦବୀ ୨୦୨୨ ମାର୍ଚ୍ଚ ମାସରୁ ଖାଲି ପଡିଲାଣି । ହେଲେ ପଦବୀ ପୂରଣ ପାଇଁ ସରକାର କେବଳ ବିଜ୍ଞପ୍ତି ପ୍ରକାଶ କରି ଚୁପ ହୋଇ ବସି ଯାଇଛନ୍ତି । ପଦବୀ ପୂରଣ ପାଇଁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ଗତ ଜୁଲାଇ ମାସରେ ହୋଇସାରିଛି, ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ଶୁଣୁ ନାହାନ୍ତି ।

ସେତିକି ନୁହେଁ, ଉତ୍କଳ ଦୃଷ୍ଟିହୀନ ସଂଘ ତରଫରୁ ଉଚ୍ଚ ନ୍ୟାୟଳୟରେ ଆଉ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା । ଗତ ମେ ମାସ ୨୯ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧରନ୍ ଏବଂ ଜି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଛଅ ସପ୍ତାହ ମଧ୍ୟରେ ଭିନ୍ନକ୍ଷମ ନିଯୁକ୍ତି କରିବାକୁ ସତ୍ୟପାଠ ଦାଖଲ ପାଇଁ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନଥିଲେ ।
ବିଜୁ ଜନତା ଦଳର ସରକାର ଏଭଳି ଏକ ସରକାର ଯିଏ କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର । ପାଖାପାଖି ଶହେରୁ ଊର୍ଦ୍ଧ୍ୱ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିଛି ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କ ଡଷ୍ଟବିନ୍‌ରେ କୋର୍ଟଙ୍କ ନିର୍ଦ୍ଦେଶ ପଡିରହିବା ଗଣତନ୍ତ୍ର ପ୍ରତି ବିପଦ । ଏମିତି କହି ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି,ମେୟର ସୁଲଚନା ଦାସ ନିର୍ବାଚନ ଲଢ଼ିବା ନିମନ୍ତେ ଗତ ୨୦୨୨ ମାର୍ଚ୍ଚ ମାସରେ ଭିନ୍ନକ୍ଷମ କମିଶନ ପଦରୁ ଇସ୍ତଫା ଦେଇଥିଲେ, ସେବେଠାରୁ ଏପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡିଛି । ଲମ୍ବା ସମୟ ଧରି ଏହି ପଦବୀ ଖାଲି ପଡିବାକୁ ନେଇ ଭିନ୍ନକ୍ଷମ ସଂଘ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ଭେଟି ତୁରନ୍ତ କମିଶନ ପଦବୀ ପୂରଣ ନିମନ୍ତେ ଦାବି କରିଥିଲେ ।

ଏହି ପଦ ମାର୍ଚ୍ଚ ୨୦୨୨ରୁ ଖାଲି ପଡିଥିଏେହେଁ  ବିଜ୍ଞପ୍ତିରେ ୨୦୨୨ ଅଗଷ୍ଟ ମାସ ୨୦ତାରିଖରୁ ଖାଲିଥିବା ନେଇ ସୂଚନା ଦେଇଥିଲେ ସରକାର । ତଥାପି ଏହି ପଦବୀ ପୂରଣ ନିମନ୍ତେ କେବଳ ବିଜ୍ଞପ୍ତି ପ୍ରକାଶ ବ୍ୟତୀତ କୌଣସି ପ୍ରତିକାର କରାଗଲା ନାହିଁ । ଶ୍ରୀମତୀ ସାହୁ କହିଛନ୍ତି ଯେ, ଦୀର୍ଘ ସମୟ ଧରି କମିଶନ ପଦବୀ ଖାଲି ପଡିବା କାରଣ ଦର୍ଶାଇ ଗିରିଜା ଲାଲ ସୀମାଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ଗତ ଜୁଲାଇ ମାସରେ ହୋଇସାରିଛି, ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିଲେ ।

ରାଜ୍ୟ ସରକାର କମିଶନ ଗୁଡିକୁ କେବଳ ରାଜନୈତିକ ଥଇଥାନର କେନ୍ଦ୍ର ନକରି ଏହାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରନ୍ତୁ । ବିଶେଷ କରି ଭିନ୍ନକ୍ଷମଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ଧ, ମୁକ, ବଧିର ନହୋଇ ସେମାନଙ୍କ ପାଇଁ ଉଚ୍ଚିତ ପଦକ୍ଷେପ ନେବା ସହିତ ସରକାର ଦରଦୀହୀନ ଚିନ୍ତାଧାରାରୁ ମୁକ୍ତ ରୁହନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

Comments are closed.