Latest Odisha News

ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ ଟାଣିଛି।

ପୂର୍ବରୁ ଉଠାଇଥିବା ସମାନ କଥାକୁ ଏବେ ପୁଣିଥରେ ବିଜେପି ଦୋହରାଇଛି। ରାଜ୍ୟ ବିଜେପିର ମହିଳା ନେତ୍ରା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ପିନାକୀ ମିଶ୍ରଙ୍କ ପାଖକୁ ଟଙ୍କା ଆସିଥିଲା କି ନାହିଁ ସ୍ପଷ୍ଟ କରନ୍ତୁ ନିଜେ ସାଂସଦ ପିନାକୀ ମିଶ୍ର। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସାଂସଦଙ୍କ ସଂପୃକ୍ତି ଅଛି କି ନାହିଁ ସ୍ପଷ୍ଟ କରନ୍ତୁ କହି ବିଜେଡି କୋର୍ଟକୁ ବଲ ଫିଙ୍ଗିଛି।

ଅଭିଯୋଗ ରହିଛି ଯେ ମହୁଆ ସଂସଦରେ ପ୍ରଧାନମନ୍ତ୍ରୀ ଏବଂ ଗୌତମ ଆଦାନୀଙ୍କୁ ବିଭିନ୍ନ ଆଳରେ ଟାର୍ଗେଟ କରୁଥିଲେ। ଏଥିପାଇଁ ସେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଠୁ ଉପହାର ନେଇଥିଲେ। ଏହି ମାମଲାରେ ପିନାକୀ ମହୁଆଙ୍କୁ ସହଯୋଗ କରିଥିବା ଅଭିଯୋଗ ରହିଛି।

ଲେଖାଶ୍ରୀ କହିଛନ୍ତି, ଦର୍ଶନ ହିରାନନ୍ଦାନୀ ସତ୍ୟପାଠରେ 3 ଜଣ ରାଜାନେତାଙ୍କ ନାଆଁ ନେଇଛନ୍ତି। ଏହି ତିନି ନେତା ହେଲେ ରାହୁଲ ଗାନ୍ଧୀ, ଶଶି ଥରୁର ଏବଂ ପିନାକୀ ମିଶ୍ର। ତେଣୁ ଏହି ତିନି ଜଣ ନେତା ମଧ୍ୟ ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି। କାହା ସାହସରେ ମହୁଆ ମୈତ୍ର ଏପରି ବେଆଇନ୍ କାମ କରିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ ପଚାରିଛନ୍ତି।

ତେବେ ମହୁଆଙ୍କ ବିବାଦରେ ପୁରୀ ସାଂସଦଙ୍କର କୈଣସି ଭୂମିକା ନାହିଁ କହି ଖାରଜ କରିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ଯ, ସଂସଦରୁ ବିଦା ହୋଇଥିବା ମହୁଆ ମୈତ୍ର କହିଛନ୍ତି, ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାର ପ୍ରମାଣ ନାହିଁ। ଯେଉଁ ଆଧାରରେ ବହିଷ୍କାର କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ବେଆଇନ୍।

Comments are closed.