Latest Odisha News

BREAKING NEWS

୧୦୮ ପ୍ରସଙ୍ଗକୁ ନେଇ ବିଜେପି ତିଆରି କଲା ଚାର୍ଜସିଟ: ବର୍ଷିଲେ ବିଜେଡି ବିଧାୟକ ଦେବୀ, ରୋହିତ

ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର  ରାଜ୍ୟରେ ଆଉ ରହିବନି ଲିଜ ସରକାର । ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଗିରଫ ହେବେ, ଜେଲରେ ରହିବେ । ଏମିତି ବୟାନ ଦେବାର କିଛି ଘଣ୍ଟା ପରେ ବିରୋଧୀ ଦଳ ନେତା କହିଛନ୍ତି, ବିଜେଡି ସରକାର ବିରୋଧରେ ପ୍ରସ୍ତୁତ ହୋଇଛି ଚାର୍ଜସିଟ ।  ୧୦୮ ପ୍ରସଙ୍ଗକୁ ନେଇ ଚାର୍ଜସିଟ  । ପଂଚାୟତଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି କହିଛନ୍ତି ଜୟନାରାୟଣ । ବିରୋଧୀ ଦଳ ନେତାଙ୍କର ଏପରି ବୟାନକୁ ନେଇ ବିଜେଡି ବି ଜବାବ ରଖିଛି ।

ମିଶ୍ର କହିଛନ୍ତି, କେଉଁ କ୍ଷମତା ବଳରେ ସଚିବ ବୁଲୁଛନ୍ତି ? କେଉଁ କ୍ଷମତା ବଳରେ ଓଡଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି ? କେତେ ଟଙ୍କା ସଚିବଙ୍କ ଗସ୍ତରେ ଖର୍ଚ୍ଚ ହୋଇଛି ତାହାର ତଥ୍ୟ ଆରଟିଆଇରୁ ମିଳି ସାରିଛି । ଚାର୍ଜସିଟରେ ଏ ସବୁ ପ୍ରସଙ୍ଗ ରହିବ । ସେତିକି ନୁହେଁ,  ଏହି ଚାର୍ଜସିଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରଠାରୁ ଆରମ୍ଭ କରି କୋଇଲା ଦୁର୍ନୀତି  ପ୍ରସଙ୍ଗ ସବୁ ରହିବ ବୋଲି ସେ କହିଛନ୍ତି ।

ଏପଟେ ବିରୋଧୀ ଦଳ ନେତାଙ୍କ ବୟାନ ଉପରେ ମୁହଁ ଖୋଲିଛି ବିଜେଡି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ନିର୍ବଚନା ବର୍ଷ ଚାଲିଛି । ସବୁ ଦଳଙ୍କର ଅଧିକାର ରହିଛି ବିରୋଧ କରିବାର, ଚାର୍ଜସିଟ ଦେବାର । ଏଥିରେ ନୂଆ କିଛି ନାହିଁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ସେମାନେ ତ ପୁଣି କିଛି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ । ତେଣୁ ଏଇ ଚାର୍ଜସିଟକୁ ଆଳ କରି ଲୋକଙ୍କ ପାଖକୁ ଯିବାକୁ ବିରୋଧୀ ଯୋଜନା କରିଥିବା ବିଜେଡି ବିଧାୟକ କହିଛନ୍ତି ।

ହେଲେ ବିଜେଡି ନେତା ତଥା ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଜୟନାରାୟଣଙ୍କ ବୟାନକୁ ନେଇ ଜୋରଦାର ବର୍ଷିଛନ୍ତି । ତାଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ ନାହିଁ ବୋଲି କହିବା ସହ ମିଡିଆକୁ ଦୂରତା ବଜାୟ ରଖିବାକୁ କହିଛନ୍ତି ରୋହିତ ପୂଜାରୀ।

ପୂଜାରୀ ଟୁଇଟ କରି  କହିଛନ୍ତି, ଜୟନାରାୟଣ ନିଜେ ଅନେକ ଅପରାଧିକ ମାମଲାରେ ସଂପୃକ୍ତ । ତାଙ୍କ ପରି ଜଣେ ଲୋକ ଯିଏ  ପବ୍ଲିକରେ   ମହିଳାଙ୍କୁ ଆକ୍ରମଣ କରିପାରନ୍ତି ତାଙ୍କ କଥା ଆମେ କ‘ଣ ଶୁଣିବୁ ?

ସେ ଟୁଇଟରେ ଆହୁରି ଲେଖିଛନ୍ତି,  ସେ ଜଣେ ମହିଳା ପୋଲିସ ଅଫସିରଙ୍କୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିଲେ । ଆମେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନୁ । ତେବେ ମିଡିଆକୁ କହିବାକୁ ଚାହୁଁଛୁ, ବାଇଟ ନେବାବେଳେ ତାଙ୍କଠାରୁ ଦୂରତା ବଜାୟ କରନ୍ତୁ ।

Leave A Reply

Your email address will not be published.