Latest Odisha News

ସୋମବାର ବିଜେପି ଘେରିବ ନବୀନ ନିବାସ, ବିଜେଡି ଘେରିବ ଜିଲ୍ଲାପାଳ ଅଫିସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶାସକ ଦଳର ନେତାଙ୍କୁ ଖସାଇବାକୁ ଉଦ୍ୟମ ହେଉଛି। ତେଣୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏପରି ନିରବଦ୍ରଷ୍ଟାକୁ ବିରୋଧ କରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରିବାକୁ ବିଜେପି ଚେତାବନୀ ଦେଇଛି। ଏପରି କହି ବିଜେପି ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛି। ଆଉ ପରେ ପରେ ବିଜେଡି ମଧ୍ୟ ବିଜେପିକୁ ଘେରିବାକୁ ଯାଇ ଫସଲ ବିମା କଥା କହି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିବ ବୋଲି କହିଛି।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହର ଅଭିଯୋଗ କରିଛନ୍ତି ଯେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସରକାର ସବୁକିଛି ଜାଣିଥିଲେ ମଧ୍ୟ ଏହି ଦୁର୍ନୀତିରେ ବହୁ ବିଜେଡି ନେତା ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତି ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ଶାସକ ଦଳ ତଥା ସରକାରକୁ ଘେରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବହୁ ବରିଷ୍ଠ ନେତାଙ୍କ ସଂପୃକ୍ତି ରହିଛି। ତେଣୁ ରାଜ୍ୟ ସରକାର ନିରବ ରହିବା ଏହି ମାମଲାକୁ ଅଧିକ ଜଟିଳ କରିଦେଇଛି। ପୋଲିସ ଏହି ମାମଲାରେ ସଂପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି ମାମଲାରେ ହାଇକୋର୍ଟର ଜଣେ ବିଚାପତିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଦାବି କରିଛନ୍ତି ପିସିସି ସଭାପତି।

ସେପଟେ ବିଜେଡି ମଧ୍ୟ ବିଜେପିକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହୋଇଛି। ବିଜେଡି ଘୋଷଣା କରିଛି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଦଳ କହିଛି। ବୀମା କମ୍ପାନୀ ମାନେ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି। ଏପରି ହେବା ଦ୍ବାରା ୫୦୦ କୋଟିରୁ ଅଧିକ ଟଙ୍କାର ବୀମା ରାଶି ବକେୟା ପଡିଛି। ତେଣୁ ଆସନ୍ତାକାଲି ୩୧ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଓ ଭୁବନେଶ୍ୱରରେ ରାଜଭବନ ସାମ୍ନାରେ ବିଜେଡି ବିକ୍ଷୋଭ କରିବ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ  ବୋଲି ଦଳ କହିଛି।

Comments are closed.