Latest Odisha News

BREAKING NEWS

୫୦ ହଜାର ଚାଷୀଙ୍କୁ ନେଇ ବିଧାନସଭା ଘେରିବ ବିଜେପି

ଭୁବନେଶ୍ୱର: ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ଚାଷୀଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ରାଜ୍ୟ ସରକାର ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ତାହା ଗାଁରେ ପଂହଚିପାରୁନାହିଁ । ଚାଷୀମାନେ ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ମନ୍ତ୍ରୀମାନେ ଏହାର ଉତର ଦେଉନାହାନ୍ତି । କାହିଁକି ନା ପଦ୍ମପୁର ଉପନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ, ବିଧାୟକ ଓ ନେତା ପ୍ରଚାରକୁ ଯାଇ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି ।

ଚାଷୀ ନ୍ୟାୟ ଭିକ୍ଷା କରୁଥିଲେ ବି କୃଷିମନ୍ତ୍ରୀ କିମ୍ବା ସମବାୟ ମନ୍ତ୍ରୀ ନିର୍ବାଚନ ଜିତିବା ଲାଗି ପ୍ରଚାରରେ ମାତି ଚାଷୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ନିର୍ବାଚନ ଜିତିବା ଲାଳଶାରେ ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ୨୦୦କୋଟି ଟଙ୍କା ସବ୍‌ସିଡି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହୋଇଥିବା ୨୦୦କୋଟି ଟଙ୍କାର ସବ୍‌ସିଡି କିଏ ନେବ ଓ କେଉଁ ଆଧାରରେ ନେବ ତାହା ସାର୍ବଜନୀନ କରାଯାଉ ବୋଲି ବରିଷ୍ଠ ନେତା ଶାରଦା ପ୍ରଧାନ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଓଡିଶାର କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଆଜିକୁ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିଛି । ଏହି ସତ୍ୟାଗ୍ରହରେ ଆଳି ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଚାଷୀ ସାମିଲ ହୋଇ ଶାସକ ଦଳକୁ ଘେରିଛନ୍ତି । ଆଜି ପଥପ୍ରାନ୍ତ ନାଟକ ମାଧ୍ୟମରେ ଚାଷ ଓ ଚାଷୀର ପ୍ରସଙ୍ଗରେ କିଭଳି ରାଜ୍ୟ ସରକର ଚାଷୀଙ୍କ ନାଁ ନେଇ ଯୋଜନା କରୁଛନ୍ତି ଓ ଚାଷୀ ମୌଳିକ ସୁବିଧା ନପାଇ ହନ୍ତସନ୍ତ ହେଉଛି ତାହା ବର୍ଣ୍ଣନା କରାଯାଇଛି । ଦୀର୍ଘ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ରାଜ୍ୟ ସରକାର ନଶୁଣିବାରୁ ଆଜି ଜାତି, ବର୍ଣ୍ଣ ନିର୍ବିଶେଷରେ ୫୦ହଜାର କୃଷକ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରୁ ବିଧାନସଭା ଅଭିମୁଖେ ଗଣବିକ୍ଷୋଭ କରିବେ ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.